odisha24 Live

Latest News

Latest News

ମାଡି ଆସୁଛି ଭୟଙ୍କର ବର୍ଷା : ବର୍ତ୍ତୀପାରିବନି ଓଡ଼ିଶା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଗଭୀର ରୂପରେ ପରିଣତ ହୋଇଛି। ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପାଗ ଧୀରେଧୀରେ ବିଗିଡ଼ିବାରେ ଲାଗିଛି। ​ପଶ୍ଚିମ-କେନ୍ଦ୍ରୀୟ ତଥା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଅଧିକ ଘନୀଭୂତ ହୋଇ ଗତକାଲି ସଂଧ୍ୟାରୁ ଗଭୀର ଅବପାତ ରୂପ ନେଇଛି । ଏହା ଘଣ୍ଟାପ୍ରତି ପ୍ରାୟ ୭ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। ଗଭୀର ଅବପାତଟି ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ଠାରୁ ପ୍ରାୟ ୧୦୦ କିମି ପୂର୍ବ-ଦକ୍ଷିଣପୂର୍ବ, ଗୋପାଳପୁରଠାରୁ ୧୫୦ କିମି ଦକ୍ଷିଣ, ବିଶାଖାପାଟଣାରୁ ୧୮୦ କିମି ପୂର୍ବ-ଉତ୍ତରପୂର୍ବ ଏବଂ ପୁରୀଠାରୁ ୨୨୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମ ଦୂରତାରେ କେନ୍ଦ୍ରୀଭୂତ ହୋଇ ରହିଛି । ​ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ପ୍ରଣାଳୀ ଆଗାମୀ କିଛି ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହେବ। ଆଜି ରାତିରେ ଏହା ଏକ ଗଭୀର ଅବପାତ ରୂପରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳସ୍ଥ କଳିଙ୍ଗପଟ୍ଟନମ୍ ନିକଟ ଦେଇ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ​ସ୍ଥଳଭାଗ ଛୁଇଁବା ସମୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିମି ରହିବା ସହ ସର୍ବାଧିକ ୭୫ କିମି ପର୍ଯ୍ୟନ୍ତ ଝଟକା ପବନ ବହିବାର ଆଶଙ୍କା ରହିଛି।

ଗଭୀର ଅବପାତ ଯୋଗୁଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା । ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। କିଛି ସ୍ଥାନରେ ଲଗାଣ ଓ ମୂଷଳଧାରା ବର୍ଷାର ସମ୍ଭାବନା ରହିଛି । ଗଭୀର ଅବପାତ ଉପକୂଳ ଅତିକ୍ରମ କରିବା ପରେ ଏହାର ପ୍ରଭାବ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳ ଏବଂ ସଂଲଗ୍ନ ଛତିଶଗଡ଼ ଆଡ଼କୁ ବଢ଼ିପାରେ । କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ମଧ୍ୟ ରହିଛି । ଉପକୂଳ ଓ ସମୁଦ୍ର ମଧ୍ୟରେ ଝଡ଼ ପବନ ସହ ସମୁଦ୍ର ଅଶାନ୍ତ ରହିପାରେ । ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ପୁରୀ ଏବଂ ଗୋପାଳପୁର ସମୁଦ୍ରକୂଳରେ ଲାଲ ପତାକା ଲଗାଯାଇ ପର୍ଯ୍ୟଟକମାନଙ୍କୁ ସମୁଦ୍ରରେ ଗାଧୋଇବା ଉପରେ କଟକଣା ଲଗାଯାଇଛି । ​ଗଭୀର ଅବପାତ ପ୍ରଭାବରେ ସମଗ୍ର ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି ।

Share In Social Media
Scroll to Top