
ପାକିସ୍ତାନ : ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସଙ୍ଘର୍ଷ ଉଗ୍ର ରୂପ ଧାରଣ କରିଛି । ରବିବାର ରାତିରେ ପାକିସ୍ତାନ ବାୟୁସେନା ଆଫଗାନିସ୍ତାନର ପୂର୍ବ ପ୍ରାନ୍ତରେ ଏୟାରଷ୍ଟ୍ରାଇକ୍ କରିଛି । କୁନାର ପ୍ରାନ୍ତରେ ପାକ୍ ଆକ୍ରମଣ କରିଥିବା ଜଣା ପଡିଛି । ଏଥିରେ ଅନେକ ସାଧାରଣ ନାଗରିକ ମୃତାହତ ହୋଇଛନ୍ତି ।
ରିପୋର୍ଟ ଅନୁସାରେ, ରବିବାର ରାତିରେ ପାକ୍ ବାୟୁସେନା ଆଫଗାନ୍ ସୀମାରେ ପ୍ରବେଶ କରିଥିଲା । ଏହାପରେ ବୋମାମାଡ଼ କରିଥିଲା । ଲୋକେ ଘରେ ଥିବା ବେଳେ ଏହି ଆକ୍ରମଣ ହୋଇଥିଲା । ପ୍ରଥମେ ପକ୍ତିକାରେ ଆକ୍ରମଣ କରାଯାଇଥିଲା । ଏହାପରେ କୁନାର ପ୍ରାନ୍ତର ନୁର୍ଗଲ ଜିଲ୍ଲା ବୋମାମାଡ଼ରେ ଥରିଥିଲା । ଯବାନମାନେ ଏହି ସବୁ ଅଞ୍ଚଳରେ ବିମାନରୁ ବୋମାବର୍ଷା କରିଥିଲେ । ଏଥିରେ କେତେଜଣ ପ୍ରାଣ ହରାଇଛନ୍ତି ଏବଂ କଣ କ୍ଷତି ହୋଇଛି ସେନେଇ ପ୍ରକୃତ ଆକଳନ ଜଣା ପଡିନାହିଁ ।
ସ୍ଥାନୀୟ ମିଡିଆ ଅନୁସାରେ, ପାକିସ୍ତାନୀ ବିମାନ ନୁର୍ଗଲ ଜିଲ୍ଲାରେ ରହୁଥିବା ନୂର୍ ମହମ୍ମଦଙ୍କ ଘରକୁ ଟାର୍ଗେଟ୍ କରିଥିଲା । ଆକ୍ରମଣ ପରେ ଘରଟି ପୂରା ଧ୍ୱଂସ ହୋଇଯାଇଛି । ସ୍ଥାନୀୟ ଲୋକେ ଘରର ଊଗ୍ନାବଶେଷ ଏକତ୍ର କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ଏହା ନୂରଙ୍କ ନୁହେଁ ବରଂ ଆଉ ଜଣେ ସାଧାରଣ ବ୍ୟକ୍ତିଙ୍କ ଘର ବୋଲି ଦାବି ହେଉଛି ।





