
ମସ୍କୋ : ରୁଷରେ ସଂସଦୀୟ ନିର୍ବାଚନର ଭୋଟିଂ ଚାଲିଥିବା ବେଳେ ମସ୍କୋରେ ବଡ଼ ଧରଣର ଡ୍ରୋନ୍ ଆକ୍ରମଣକୁ ନେଇ ହଇଚଇ ସୃଷ୍ଟି ହୋଇଛି । ରବିବାର ନିର୍ବାଚନର ତୃତୀୟ ତଥା ଶେଷ ଦିନରେ ମସ୍କୋକୁ ଟାର୍ଗେଟ୍ କରି ଡ୍ରୋନ୍ ଆକ୍ରମଣ ହୋଇଥିବା ରୁଷ ପକ୍ଷରୁ କୁହାଯାଇଛି । ଏହି ଆକ୍ରମଣ ପାଇଁ ରୁଷ ୟୁକ୍ରେନକୁ ଦାୟୀ କରିଛି । ଆକ୍ରମଣରେ ମସ୍କୋର ଏକ ତେଲ ରିଫାଇନାରୀ କ୍ଷତିଗ୍ରସ୍ତ ହେବା ସହ ସେଠାରେ ଭୟଙ୍କର ନିଆଁ ଲାଗିଥିବା ଖବର ମିଳିଛ । ମସ୍କୋ ମେୟର ସର୍ଗେଇ ସୋବ୍ୟାନିନ୍ ରବିବାର ଟେଲିଗ୍ରାମ୍ରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ତାଙ୍କ ଅନୁସାରେ, ଡ୍ରୋନ୍ ମସ୍କୋର ଏକ ତେଲ ରିଫାଇନାରୀକୁ ଟାର୍ଗେଟ୍ କରିଥିଲା । ଆକ୍ରମଣ ପରେ ରିଫାଇନାରୀରେ ନିଆଁ ଲାଗିଥିବା ବେଳେ ଦୂରରୁ ମଧ୍ୟ ଧୂଆଁ ଓ ନିଆଁର ଶିଖା ଦେଖାଯାଇଥିବା ଜଣାପଡିଛି । ଘଟଣାକୁ ନେଇ ମସ୍କୋରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ଏହି ଡ୍ରୋନ୍ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ଖବର ସାମ୍ନାକୁ ଆସିଛି । ତେବେ ଆକ୍ରମଣର ସମ୍ପୂର୍ଣ୍ଣ କ୍ଷୟକ୍ଷତି ନେଇ ଅଧିକାରୀମାନଙ୍କ ପକ୍ଷରୁ ସବିଶେଷ ସୂଚନା ଦିଆଯାଇନାହିଁ । ରୁଷ ପକ୍ଷରୁ ଏହି ଘଟଣାକୁ ୟୁକ୍ରେନର ଆକ୍ରମଣ ବୋଲି କୁହାଯାଉଥିବା ବେଳେ ୟୁକ୍ରେନ ପକ୍ଷରୁ ମଧ୍ୟ ରୁଷ ଭିତରେ ନିର୍ଦ୍ଦିଷ୍ଟ ରଣନୈତିକ ଠିକଣାକୁ ଟାର୍ଗେଟ୍ କରିବା ନେଇ ଦାବି କରାଯାଇଛି ।
ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମିର୍ ଜେଲେନ୍ସ୍କି କହିଛନ୍ତି ଯେ ରୁଷର ଏକ ପ୍ରମୁଖ ତେଲ ଶିଳ୍ପ କେନ୍ଦ୍ର ଏବଂ ଏକ ଲଜିଷ୍ଟିକ୍ସ ସେଣ୍ଟରକୁ ଟାର୍ଗେଟ୍ କରାଯାଇଛି । ତାଙ୍କ ଦାବି ଅନୁସାରେ, ଏହି ଠିକଣାଗୁଡ଼ିକ ରୁଷର ଯୁଦ୍ଧ ଅଭିଯାନକୁ ଆର୍ଥିକ ସହାୟତା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମୀକା ବହନ କରୁଛିଲା । ସବୁଠାରୁ ବଡ଼ କଥା ହେଉଛି, ରୁଷରେ ସଂସଦୀୟ ନିର୍ବାଚନର ଭୋଟିଂ ଚାଲିଥିବା ସମୟରେ ହିଁ ଏହି ଆକ୍ରମଣ ହୋଇଛି । ଷ୍ଟେଟ୍ ଡୁମା ନିର୍ବାଚନ ପାଇଁ ରୁଷରେ ତିନି ଦିନ ଧରି ଭୋଟିଂ ହୋଇଥିଲା । ରବିବାର ଥିଲା ଭୋଟିଂର ତୃତୀୟ ତଥା ଶେଷ ଦିନ । ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଏପଟେ ରୁଷ ନିର୍ବାଚନ ଅଧିକାରୀମାନେ ମସ୍କୋର ଅନଲାଇନ୍ ଭୋଟିଂ ବ୍ୟବସ୍ଥା ଉପରେ ସାଇବର ଆକ୍ରମଣ ଉଦ୍ୟମ ହୋଇଥିବା ମଧ୍ୟ ଦାବି କରାଯାଇଛି । ନିର୍ବାଚନ ସମୟରେ ଡ୍ରୋନ୍ ଆକ୍ରମଣ ସହ ସାଇବର ଆକ୍ରମଣ ଉଦ୍ୟମକୁ ନେଇ ରୁଷରେ ଚିନ୍ତା ବଢ଼ିଛି । ଅନ୍ୟପଟେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ୟୁକ୍ରେନ ରୁଷର ନିର୍ବାଚନରେ ହସ୍ତକ୍ଷେପ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି । ୟୁକ୍ରେନ ତେବେ ରୁଷରେ ହେଉଥିବା ନିର୍ବାଚନକୁ ପୂର୍ବରୁ ହିଁ ଖାରଜ କରିଆସିଛି । ରୁଷ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ସମୟରେ ମସ୍କୋରେ ଏହି ଡ୍ରୋନ୍ ଆକ୍ରମଣ ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତାକୁ ପୁଣି ସାମ୍ନାକୁ ଆଣିଛି । ଯୁଦ୍ଧ ସହିତ ବଢ଼ୁଥିବା ଆର୍ଥିକ ଚାପ ମଧ୍ୟରେ ରୁଷର ସଂସଦୀୟ ନିର୍ବାଚନ ଚାଲିଥିବା ବେଳେ ରାଜଧାନୀ ମସ୍କୋରେ ଏଭଳି ଆକ୍ରମଣ ସୁରକ୍ଷା ବ୍ୟବସ୍ଥାକୁ ନେଇ ନୂଆ ପ୍ରଶ୍ନ ଉଠାଇଛି।





