odisha24 Live

Latest News

Latest News

ଭିଜିଲାନ୍ସ ଜାଲରେ ଆଇସିଡିଏସ୍‌ ସୁପର୍‌ଭାଇଜର୍‌, ଜେଆର୍‌ଏ

ବ୍ରହ୍ମପୁର: ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ କୋଠା ନ ଥିବାରୁ ଭଡ଼ା ଘରେ ଚାଲୁଥିଲା । ହେଲେ ଘର ଭଡ଼ା ବାବଦ ଟଙ୍କା ପ୍ରଦାନ କରିବାକୁ ୩୦ ହଜାର ଟଙ୍କା ଲାଞ୍ଚ ମଗାଯାଇଥିଲା । ଲାଞ୍ଚ ଟଙ୍କା ଗ୍ରହଣ ବେଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଆଇସିଡିଏସ୍ ସୁପର୍‌ଭାଇଜର୍ ବି.ଉମା ପାତ୍ର ଓ କନିଷ୍ଠ ରାଜସ୍ୱ ସହାୟକ (ଜେଆର୍‌ଏ) ନରସିଂହ ବେହେରାଙ୍କୁ କାବୁ କରିଛି ଭିଜିଲାନ୍ସ । ଶନିବାର ରାତିରେ ହିଞ୍ଜିଳିକାଟୁ ସିଡିପିଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ଉ କରିଥିଲା । ସୁପର୍‌ଭାଇଜର୍ ଓ ଜେଆର୍‌ଏଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇଛି।

ଗତ ୧୧ ମାସର ଅଙ୍ଗନବାଡ଼ି କେନ୍ଦ୍ରର ଘର ଭଡ଼ା ବାବଦ ଟଙ୍କା ମଞ୍ଜୁର କରିବାକୁ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ସେମାନେ ୩୦ ହଜାର ଟଙ୍କା ଦାବି କରିଥିଲେ । ସେମାନଙ୍କ ଦାବି ମୁତାବକ ଟଙ୍କା ନମିଳିଲେ ସେମାନେ କେନ୍ଦ୍ରର ଭଡ଼ା ବାବଦ ଅର୍ଥ ରିଲିଜ୍ କରିବେ ନାହିଁ ବୋଲି ଧମକ ଦେଇଥିଲେ । ବାଧ୍ୟ ହୋଇ ଏ ବାବଦରେ ଭିଜିଲାନ୍ସ ବିଭାଗକୁ ଅଭିଯୋଗ କରିଥିଲେ ଅଙ୍ଗନବାଡ଼ି କର୍ମୀଜଣକ । ତାଙ୍କ ଠାରୁ ସୁପର୍ଭାଇଜର୍ ଓ ଜେଆର୍ଏ ସିଡିପିଓ ଅଫିସ୍ ପରିସରରେ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ଦୁହିଁଙ୍କୁ କାବୁ କରିଥିଲା । ଲାଞ୍ଚ ଟଙ୍କା ୩୦ ହଜାର ମଧ୍ୟ ଜବତ କରାଯାଇଛି । ଏଥିସହ ଆୟବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ସୁପର୍ଭାଇଜର୍ ଓ ଜେଆର୍ଏଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇଛି । ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୦/୨୦୨୬ ରୁଜୁ କରାଯାଇ ଅଧିକ ତନାଘନା କରାଯାଉଛି ।

Share In Social Media
Scroll to Top