
ନୂଆଦିଲ୍ଲୀ : ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍ଙ୍କ ମୃତ୍ୟୁ ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିଶା ସାଲିଆନଙ୍କ ବାପା ସତୀଶ ସାଲିଆନ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ଓ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ମାନହାନି ନୋଟିସ ପଠାଇଛନ୍ତି। ଏଥିରେ ସେ ୫୦୦ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।
ଉଭୟ ନେତାଙ୍କ ଦ୍ୱାରା କରାଯାଇଥିବା କିଛି ବୟାନକୁ ନେଇ ଏହି ନୋଟିସ ଦିଆଯାଇଛି। ସତୀଶ ସାଲିଆନ ଉକ୍ତ ବୟାନ ପାଇଁ କ୍ଷମା ମାଗିବା, ବୟାନ ପ୍ରତ୍ୟାହାର କରିବା ସହ ୫୦୦ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଏହି ଦାବି ପୂରଣ ପାଇଁ ଉଭୟଙ୍କୁ ୭ ଦିନ ସମୟ ଦିଆଯାଇଛି।
୨୮ ବର୍ଷୀୟ ଦିଶା ସାଲିଆନ ୨୦୨୦ ଜୁନ୍ ୮ ତାରିଖରେ ମୁମ୍ବାଇର ମାଲାଡ୍ ଅଞ୍ଚଳର ଏକ ଉଚ୍ଚ ଅଟ୍ଟାଳିକାରୁ ଖସିପଡ଼ିବା ପରେ ମୃତ୍ୟୁବରଣ କରିଥିଲେ। ପୋଲିସ ଏହାକୁ ଦୁର୍ଘଟଣାଜନିତ ମୃତ୍ୟୁ ଭାବେ ନେଇ ଏକ ଆକସିଡେଣ୍ଟାଲ୍ ଡେଥ୍ ରିପୋର୍ଟ (ADR) ରୁଜୁ କରିଥିଲା। ଏହାର ୬ ଦିନ ପରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ହୋଇଥିଲା।
ନୋଟିସ ଅନୁସାରେ, ସତୀଶ ସାଲିଆନଙ୍କୁ ତାଙ୍କୁ ହଇରାଣ କରିବା ପାଇଁ ‘ଏକ ମାଧ୍ୟମ ଭାବେ ବ୍ୟବହାର କରାଯାଉଛି’ ବୋଲି ଆଦିତ୍ୟ ଠାକରେ ଦାବି କରିଥିବା ଅଭିଯୋଗ ହୋଇଛି। ଅନିଲ ଦେଶମୁଖ ମଧ୍ୟ ଏହି ଦାବିକୁ ସମର୍ଥନ କରିଥିବା ନୋଟିସରେ କୁହାଯାଇଛି।
୨୦୨୫ ମାର୍ଚ୍ଚ ୨୩ରେ ଦେଶମୁଖ ଦିଶା ସାଲିଆନ ମାମଲାକୁ ଆଦିତ୍ୟ ଠାକରେଙ୍କୁ ବଦନାମ କରିବା ପାଇଁ ଏକ ‘ଷଡ଼ଯନ୍ତ୍ର’ ବୋଲି କହିଥିବା ନୋଟିସରେ ଉଲ୍ଲେଖ ରହିଛି। ଏହି ବୟାନକୁ ପ୍ରଚାର କରାଯାଇ ସତୀଶ ସାଲିଆନଙ୍କୁ ରାଜନୈତିକ ଓ ଦୁର୍ଭାବନାପୂର୍ଣ୍ଣ ଭାବେ ଆଇନର ଅପବ୍ୟାହାର କରୁଥିବା ବ୍ୟକ୍ତି ଭାବେ ପ୍ରଦର୍ଶିତ କରାଯାଇଛି।
ସତୀଶ ସାଲିଆନ ଉଭୟ ନେତାଙ୍କଠାରୁ ବିନା ସର୍ତ୍ତରେ ଏବଂ ସ୍ପଷ୍ଟ ଭାବେ ଲିଖିତ ଓ ସାର୍ବଜନୀନ କ୍ଷମା ଦାବି କରିଛନ୍ତି। ଏହି କ୍ଷମାପ୍ରାର୍ଥନା ପ୍ରମୁଖ ଖବରକାଗଜ, ଟେଲିଭିଜନ ଓ ଡିଜିଟାଲ ମିଡିଆରେ ପ୍ରକାଶ ଓ ପ୍ରସାରଣ କରିବାକୁ ମଧ୍ୟ ଦାବି କରାଯାଇଛି। ଏଥିସହ ଅତିକମ୍ରେ ୩ ମିନିଟ୍ର ଏକ ଭିଡିଓ କ୍ଷମାପ୍ରାର୍ଥନା ଉଭୟ ନେତାଙ୍କ ଅଫିସିଆଲ୍ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବାକୁ ନୋଟିସରେ କୁହାଯାଇଛି।
ଅନ୍ୟପକ୍ଷରେ, CBI ଏହି ମାମଲାର FIRରେ ଆଦିତ୍ୟ ଠାକରେଙ୍କ ନାମ ଉଲ୍ଲେଖ କରିବାର ଦୁଇ ଦିନ ପରେ ବୁଧବାର ସେ ଦିଶା ସାଲିଆନଙ୍କ ସହ କୌଣସି ସମ୍ପର୍କ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।





