
ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ମହାସ୍ନାନ । ପ୍ରାୟ ୧ ଘଣ୍ଟା ପାଇଁ ବନ୍ଦ ରହିଲା ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ସୂଚନା ।
ବୁଧବାର ସକାଳୁ ଶ୍ରୀମନ୍ଦିରର ଦ୍ୱାର ଫିଟା ନୀତି ପରେ ଚାଲିଥିଲା ନୀତି । ସମୟ ଗଡ଼ିବା ସହ ଠିକଠାକ୍ ଚାଲିଥିଲା ନୀତି । ଠାକୁରଙ୍କ ଅବକାଶ ପୂଜା ପରେ ଜଣେ ସେବାୟତ ପ୍ୟାଣ୍ଟ ସାର୍ଟ ପିନ୍ଧି ମହାପ୍ରଭୁଙ୍କୁ ଛୁଇଁ ଦେଇଥିଲେ । ଯାହାଫଳରେ ମହାପ୍ରଭୁ ମହାସ୍ନାନ କରାଯାଇଛି ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ସମୟରେ ଅସାବଧାନତା କିମ୍ବା ଅନ୍ୟ କୌଣସି କାରଣରୁ ସେବାୟତଙ୍କ ସ୍ପର୍ଶ କିମ୍ବା ଅନ୍ୟ କିଛି ଅସୁବିଧା ହେଲେ ଛୁଆଁ ମହାସ୍ନାନ ନୀତି କରାଯାଇଥାଏ। ମଇଲମ କିମ୍ବା ଅନ୍ୟାନ୍ୟ ନୀତି ଚାଲିଥିବା ସମୟରେ ରତ୍ନସିଂହାସନରେ କୌଣସି ସେବାୟତଙ୍କୁ ଅନ୍ୟ ଜଣେ ସ୍ପର୍ଶ କରିଦେଲେ କିମ୍ବା ଅନ୍ୟ କୌଣସି ଅଶୁଚି ସ୍ଥିତି ଉପୁଜିଲେ ଏହି ବିଶେଷ ନୀତି କରାଯାଏ। ମହାସ୍ନାନ ନୀତି ଚାଲିଥିବା ସମୟରେ ସ୍ୱାଭାବିକ ଭାବେ କିଛି ସମୟ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ। ଶ୍ରୀବିଗ୍ରହଙ୍କୁ ପୁନର୍ବାର ଶୁଦ୍ଧ ଓ ପବିତ୍ର କରିବା ପାଇଁ ସେବକମାନଙ୍କ ଦ୍ୱାରା ଏହି ଗୁପ୍ତ ଓ ଶୁଦ୍ଧି ନୀତି କରାଯାଇଥାଏ ।





