
କୋଲକାତା : ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (ଟିଏମସି) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଦଳ ନନ୍ଦିଗ୍ରାମରୁ ସଞ୍ଚିତା ପ୍ରଧାନ (ଡେ) ଏବଂ ରେଜିନଗରରୁ ରବିଉଲ ଆଲମ ଚୌଧୁରୀଙ୍କୁ ପ୍ରାର୍ଥୀ କରିଛି।
ରବିବାର ଟିଏମସି ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏନେଇ ଅଧିକାରିକ ଘୋଷଣା କରାଯାଇଛି । ଦଳ କହିଛି, ଅଧ୍ୟକ୍ଷ ମମତା ବାନାର୍ଜୀଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ଆଗାମୀ ନନ୍ଦିଗ୍ରାମ ଏବଂ ରେଜିନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରି ଦଳ ଖୁସି । ଟିଏମସି ଉଭୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇ କହିଛି ଯେ ସେମାନେ ଦୃଢ଼ତା ଓ ସଙ୍କଳ୍ପର ସହ ଜନତାଙ୍କ ଆଶା ଓ ଆକାଂକ୍ଷାକୁ ଆଗକୁ ନେବେ ବୋଲି ଦଳ ଆଶା କରୁଛି।
ଟିଏମସି ପୂର୍ବରୁ ଗତ ଶୁକ୍ରବାର ଦିନ କଂଗ୍ରେସ ମଧ୍ୟ ପଶ୍ଚିମବଙ୍ଗ ଉପନିର୍ବାଚନ ପାଇଁ ଦୁଇ ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା।କଂଗ୍ରେସ ନନ୍ଦିଗ୍ରାମରୁ ମିଲନ ପ୍ରଧାନଙ୍କୁ ଏବଂ ରେଜିନଗରରୁ ମହମ୍ମଦ ଅବଦୁଲ୍ଲାହିଲ କାଫିଙ୍କୁ ପ୍ରାର୍ଥୀ କରିଛି । ମଲ୍ଲିକାର୍ଜୁନ ଖାର୍ଗେ ପ୍ରାର୍ଥୀଙ୍କ ନାମକୁ ଅନୁମୋଦନ କରିଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।





