
ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଏହା ବାୟୁମଣ୍ଡଳରରୁ ପ୍ରାୟ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଥିବା ସୂଚନା ମିଳିଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ପାଇଁ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ‘ରେଡ୍ ୱାର୍ଣ୍ଣିଂ’ ଜାରି କରାଯାଇଛି। ଏହା ବ୍ୟତୀତ ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ, ବର୍ଷା ଏବଂ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ଅନୁଯାୟୀ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।





