
ଆଠଗଡ଼: ଆଠଗଡ଼ ପଞ୍ଚାୟତ ସମିତି ଅଞ୍ଚଳରେ ଲାଗିଲା ପ୍ରଶାସନର କଡ଼ା କଟକଣା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ଲକ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି ପ୍ରଶାସନ। ଲାଗୁ ହୋଇଛି ବିଏନଏସ ର ଧାରା ୧୬୩ । ପଞ୍ଚାୟତ ସମିତି ବୈଠକକୁ ନେଇ ଏହି କଟକଣା ଲଗାଯାଇଛି । ଗତ ବୈଠକରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା ।
ଫଳରେ ଆଗାମୀ ବୈଠକରେ ଯେପରି କୌଣସି ଅପ୍ରୀତିକର ସ୍ଥିତି ନଘଟେ, ସେଥିପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି କଡ଼ା ସୁରକ୍ଷା ବ୍ୟବସ୍ଥା ।ବ୍ଲକ ସମ୍ମୁଖରେ ମୁତୟନ ହୋଇଛନ୍ତି ୪ ପ୍ଲାଟୁନ ପୋଲିସ ଫୋର୍ସ। ଏହାସହ ୪ ଜଣ ଇନ୍ସପେକ୍ଟର ଏବଂ ୨ ଜଣ ଡ଼ିଏସପିଙ୍କୁ ମଧ୍ୟ ମୁତୟନ କରାଯାଇଛି। ବୈଠକ ସମୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ସହ କୌଣସି ପ୍ରକାର ଗଣ୍ଡଗୋଳକୁ ରୋକିବା ଉପରେ ପୋଲିସର ଫୋକସ୍ ରହିଛି।ତେବେ ପୂର୍ବ ବୈଠକର ତିକ୍ତତା ପରେ ଏଥର ଆଠଗଡ଼ ପଞ୍ଚାୟତ ସମିତି ବୈଠକକୁ ନେଇ ପ୍ରଶାସନ କାହିଁକି ଏତେ ସତର୍କ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୁରକ୍ଷା ବଳୟ ଭିତରେ କିପରି ଶାନ୍ତିପୂର୍ଣ୍ଣ ଭାବେ ବୈଠକ ସମ୍ପନ୍ନ ହେଉଛି, ଏବେ ତାହା ଉପରେ ସମସ୍ତଙ୍କ ନଜର ।





