odisha24 Live

Latest News

Latest News

ଦୁଗ୍ଧ ଚାଷୀଙ୍କୁ ବଡ଼ ଲାଭ, ଲିଟର ପିଛା ୨ ଟଙ୍କା ବଢ଼ାଇବ ଓମ୍‌ଫେଡ୍‌

ଭୁବନେଶ୍ୱର : ସେପ୍ଟେମ୍ବର ୧୧ରୁ ଦୁଗ୍ଧ ଚାଷୀଙ୍କୁ ବଡ଼ ଖୁସି ଖବର। ଲିଟର ପିଛା ୨ ଟଙ୍କା ବଢ଼ିଲା କ୍ଷୀର କ୍ରୟ ଦର, ବର୍ଦ୍ଧିତ ଦରରେ ଦୁଗ୍ଧ କିଣିବ ଓମ୍‌ଫେଡ୍‌। ବିଭିନ୍ନ ମାନର କ୍ଷୀର ଲିଟର ପିଛା ୩୪ରୁ ୩୮ ଟଙ୍କାରେ କିଣୁଥିବା ଓମ୍‌ଫେଡ୍‌ ଏବେ ଏହି ଦରଠାରୁ ୨ଟଙ୍କା ଅଧିକ ଦରରେ କିଣିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି।
ଓମ୍‌ଫେଡ୍‌ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି, ବିଭିନ୍ନ ସମୟରେ ପ୍ରାଥମିକ ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ଓମ୍‌ଫେଡ୍‌ ଦୁଗ୍ଧ ଚାଷୀଙ୍କ ପାଖରୁ କ୍ଷୀର କିଣୁଛି। କ୍ଷୀର ଦର ବୃଦ୍ଧି କରିବାକୁ ପ୍ରାଥମିକ ସମବାୟ ସମିତି ସଙ୍ଗଠନଗୁଡ଼ିକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଦାବି କରି ଆସୁଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବିକୁ ଗୁୁରୁତ୍ବର ସହ ବିଚାର କରି କ୍ଷୀର ଲିଟର ପିଛା ଆଉ ଦୁଇ ଟଙ୍କା ଅଧିକ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେପ୍ଟେମ୍ବର ୧୧ରୁ କ୍ଷୀର ଲିଟର ପିଛା ୨ଟଙ୍କା ଅଧିକ ଦେବ ଓମ୍‌ଫେଡ୍‌। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଦୁଗ୍ଧ ଚାଷୀ ଉପକୃତ ହେବେ। ରାଜ୍ୟର ଦୁଗ୍ଧ ଚାଷୀଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ସର୍ବାଧିକ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

ଅନ୍ୟପଟେ କ୍ଷୀର ଲିଟର ପିଛା ୨ଟଙ୍କା ବୃଦ୍ଧି ସ୍ୱାଗତ ଯୋଗ୍ୟ। କିନ୍ତୁ ଯଥେଷ୍ଟ ନୁହେଁ ବୋଲି ଓଡିଶା ଦୁଗ୍ଧ ଚାଷୀ ମହାସଂଘ ଅଧ୍ୟକ୍ଷ ରବି ବେହେରା କହିଛନ୍ତି। ନିକଟରେ ମୁମ୍ବଇରେ କ୍ଷୀର ଲିଟର ପିଛା ୯ଟଙ୍କା ଓ ତାମିଲନାଡୁରେ ଲିଟର ପିଛା ୪ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଚାଷୀମାନେ ମୁମ୍ବଇରେ ଲିଟର ପିଛା ୧୦୧ ଟଙ୍କା ଓ ତାମିଲନାଡୁରେ ୪୪ଟଙ୍କା ପାଉଛନ୍ତି। ସେହି ତୁଳନାରେ ଓଡ଼ିଶାରେ ୪୦ ଟଙ୍କାରେ ଓମ୍‌ଫେଡ୍‌ କ୍ଷୀର କିଣିବ, ଏହା ବହୁତ କମ। ଏହାବ୍ୟତୀତ, ବଜାରରେ ଗୋ-ଖାଦ୍ୟ ଓ ଔଷଧପତ୍ର ଦାମ୍‌ ମଧ୍ୟ ବଢ଼ି ଚାଲିଛି। ଗୋଖାଦ୍ୟ ଦରକୁ ସରକାର ନିୟନ୍ତ୍ରଣ କରିବା ଓ ପ୍ରାଣୀ ସମ୍ପଦର ଚିକିତ୍ସା ପାଇଁ ଏକ ଆୟୁଷ୍ମାନ ଯୋଜନା ପ୍ରଚଳନ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି।

Share In Social Media
Scroll to Top