
ହାଇଦ୍ରାବାଦ: ପ୍ରଥମ ଦିନରୁ ତେଲେଙ୍ଗାନା ବିଧାନସଭାରେ ହଙ୍ଗାମା। ମୌସୁମୀ ଅଧିବେଶନ ଆରମ୍ଭରୁ ଶାସକ କଂଗ୍ରେସ ଓ ମୁଖ୍ୟ ବିରୋଧୀ ବିଆରଏସ ମଧ୍ୟରେ ମୁହାଁମୁହିଁ ହୋଇଛି ।
ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଆରଏସ ବିଧାୟକମାନେ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଲତବୀ ପ୍ରସ୍ତାବ ଆଣିବାକୁ ଦାବି କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା କେ. ଚନ୍ଦ୍ରଶେଖର ରାଓଙ୍କୁ ହତ୍ୟା ଧମକ ଏବଂ ବିଆରଏସର ମହିଳା ବିଧାୟକମାନଙ୍କ ପ୍ରତି ପୋଲିସର ଦୁର୍ବ୍ୟବହାର ଅଭିଯୋଗ ଉପରେ ତୁରନ୍ତ ଆଲୋଚନା ପାଇଁ କେଟିଆର୍ ନୋଟିସ୍ ଦେଇଥିଲେ। ତେବେ ବାଚସ୍ପତି ଗଡ୍ଡମ୍ ପ୍ରସାଦ କୁମାର ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିବାରୁ ବିଆରଏସ ସଦସ୍ୟମାନେ ନାରାବାଜି କରି ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ।
ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିବା ପାଇଁ ବାଚସ୍ପତିଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ମାଲ୍ଲୁ ଭାଟ୍ଟି ବିକ୍ରମାର୍କ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡି. ଶ୍ରୀଧର ବାବୁ ବାରମ୍ବାର ଅନୁରୋଧ କରିଥିଲେ। ମାତ୍ର ବିଆରଏସ ବିଧାୟକମାନେ ଜିଦରେ ଅଟଳ ରହି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଧର ବାବୁ ନିଲମ୍ବନ ନିର୍ଦ୍ଦେଶ ପାଇଁ ପ୍ରସ୍ତାବ ଆଗତ କରିଥିଲେ। ଏହାପରେ ବାଚସ୍ପତି ୨୨ ଜଣ ବିଧାୟକଙ୍କୁ ନିଲମ୍ବନ କରାଗଲା ବୋଲି ଘୋଷଣା କରିଥିଲେ। ନିଲମ୍ବିତ ହୋଇଥିବା ପ୍ରମୁଖ ନେତାମାନଙ୍କ ମଧ୍ୟରେ କେ.ଟି. ରାମାରାଓ, ଟି. ହରୀଶ ରାଓ, ଜି. ଜଗଦୀଶ ରେଡ୍ଡୀ, ପି. ସବିତା ଇନ୍ଦ୍ରା ରେଡ୍ଡୀ, ଗଙ୍ଗୁଲା କମଲାକର ଏବଂ କୌଶିକ ରେଡ୍ଡୀ ପ୍ରମୁଖ ସାମିଲ ଅଛନ୍ତି।





