
ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପ୍ରକୋପ। ଆଜି ଓ ଆସନ୍ତାକାଲି ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି-ବିଜୁଳି ସହ ବର୍ଷା ହେବ। ତେବେ ୯ ତାରିଖରୁ ରାଜ୍ୟରେ ପୁଣି ଆରମ୍ଭ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା। ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାର ଅନେକ ଅଞ୍ଚଳରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ଆଜି ୧୭ ଜିଲାରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ଉତ୍ତର, ଉପକୂଳ ଓ ପଶ୍ଚିମ ଓଡ଼ିଶାର କେତେକ ଜିଲାକୁ ସତର୍କ କରାଯାଇଛି। ସେହିପରି ଆସନ୍ତାକାଲି ୨୦ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।
୯ ତାରିଖରୁ ବର୍ଷାର ପରିମାଣ ବଢ଼ିବ। ବୁଧବାର ଉତ୍ତର ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଅନ୍ୟ ୧୧ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
୧୦ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଜିଲାରେ ଅତିପ୍ରବଳ ବର୍ଷା ହୋଇପାରେ। ସେହିପରି ୧୧ ତାରିଖରେ ୧୭ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି ହୋଇଛି। ୧୨ ତାରିଖରେ ୫ ଜିଲାକୁ ୟେଲୋ ଆଲର୍ଟ ଦିଆଯାଇଛି।





