
ଅଯୋଧ୍ୟା : ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟରେ ବଡ଼ ନିଯୁକ୍ତି। ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର ହେଲେ ପ୍ରଥମ ସିଇଓ। ବୁଧବାର ଅନୁଷ୍ଠିତ ଟ୍ରଷ୍ଟର ବୈଠକରେ ତାଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରାଯାଇଛି। ଏଥିସହ ପୂର୍ବତନ କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରିଙ୍କୁ ନୂତନ ମହାସଚିବ ଏବଂ ମହେଶ ଭାଗଚନ୍ଦକାଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ମିଳିଛି। ରାମ ମନ୍ଦିର ଟ୍ରଷ୍ଟର ସିଇଓପଦ ପାଇଁ ୫,୫୦୦ରୁ ଅଧିକ ଆବେଦନ ଆସିଥିଲା । ସେଥିମଧ୍ୟରୁ ୧୮ ଜଣଙ୍କ ନାମ ସର୍ଟଲିଷ୍ଟ କରାଯାଇଥିଲା । ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନଙ୍କୁ ଖାଦ୍ୟପାନୀୟ, ଜୀବନଶୈଳୀ ଏବଂ ହିନ୍ଦୁ ଧର୍ମ ସହ ଜଡ଼ିତ ବିଭିନ୍ନ ମାନ୍ୟତାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯାଇଥିଲା । ରାମ ମନ୍ଦିରର ସିଇଓଙ୍କ ସବୁଠାରୁ ବଡ଼ ଦାୟିତ୍ୱ ହେବ ମନ୍ଦିରର ପ୍ରଶାସନିକ, ଆର୍ଥିକ ଏବଂ ଆଇନଗତ ପରିଚାଳନାର ଦାୟିତ୍ୱ ସମ୍ଭାଳିବା । ସିଇଓ ପଦ ପାଇଁ ଟ୍ରଷ୍ଟ ପକ୍ଷରୁ ତିନି ଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ଅବସରପ୍ରାପ୍ତ ଜଷ୍ଟିସ୍ ପ୍ରମୋଦ କୋହଲି, ବିଷ୍ଣୁକାନ୍ତ ଚତୁର୍ବେଦୀ ଏବଂ ସୁରେଶ ହାୱଡ଼େ ସାମିଲ ଥିଲେ ।





