
ମୁମ୍ବାଇ : ମହାରାଷ୍ଟ୍ର ମୁମ୍ବାଇ କୁର୍ଲାର ଚିରାଗ ନଗର ଅଞ୍ଚଳରେ ବଡ଼ ଅଘଟଣ ଘଟିଛି। ବୁଧବାର ଭୋର ପ୍ରାୟ ୩ଟା ୪୮ ମିନିଟ୍ରେ ଚିରାଗ ନଗରର ଗୌସିଆ ଚାୱଲ୍ରେ ଭୂସ୍ଖଳନ ହୋଇଛି। ଘଟଣାରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ଚାରିରୁ ପାଞ୍ଚ ଜଣ ଭଗ୍ନାବଶେଷ ତଳେ ଫସିଥିବା ଆଶଙ୍କା କରାଯାଉଛି। ଭୋର ୪ଟା ୩୨ ମିନିଟ୍ରେ ଅଗ୍ନିଶମ ବିଭାଗ ଘଟଣାକୁ ଲେଭଲ୍-୨ ଘଟଣା ଭାବେ ଘୋଷଣା କରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ପାହାଡର କିଛି ଅଂଶ ଘର ଉପରେ ଧସି ପଡ଼ିବା ହେତୁ ଏହି ଅଘଟଣ ଘଟିଛି।ଏହି ଘଟଣା ରାଠୋଡ ମେଡିକାଲର ଗୌସିୟା ଚାଲ ନିକଟରେ ଘଟିଛି । ସୂଚନା ମିଳିବା ମାତ୍ରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗତକାଲି ରାତିରେ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିଲା , ଯାହା ଫଳରେ କୁର୍ଲାର ଗୌସିଆ ଚାଲରେ ପାହାଡର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା । ତେବେ ପୂର୍ବରୁ ଏନଡିଆରଏଫ ଏବଂ ପ୍ରଶାସନ ଟିମ୍ ପହଞ୍ଚି ଲୋକଙ୍କୁ ସତର୍କ କରାଇଥିଲେ ।ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ,ମୁମ୍ବାଇରେ ମୌସୁମୀ ବର୍ଷା ଜାରି ରହିବ । ମୁମ୍ବାଇ, ଥାଣେ, ପାଲଘର ଏବଂ ରାୟଗଡ଼ ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

