
ଉତ୍ତରାଖଣ୍ଡ: ଦେଶରେ ଲଗାତାର ହେଉଥିବା ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ନଦୀର ଜଳସ୍ତର ବଢ଼ିବା ସହ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ତୀବ୍ର ଜଳସ୍ରୋତରେ ଚମୋଲି ଜିଲ୍ଲା ଅଧୀନ ନୀତି ଉପତ୍ୟକା ଅଞ୍ଚଳରେ ଥିବା ଏକ ଲୁହା ପୋଲ କିଛି ସେକେଣ୍ଡ ମଧ୍ୟରେ ଭାସିଯାଇଛି। ଏହି ଘଟଣାର ଏକ ଭିଡିଓ ଭାଇରଲ ହେଉଛି | ଭିଡିଓରେ କାଦୁଅ ମିଶ୍ରିତ ପ୍ରବଳ ଜଳସ୍ରୋତ ନଦୀ ମଧ୍ୟଦେଇ ଦ୍ରୁତ ଗତିରେ ଆସି ପୋଲରେ ଧକ୍କା ଦେଉଥିବା ଦେଖାଯାଉଛି। ପ୍ରବଳ ସ୍ରୋତର ଚାପରେ ପୋଲଟି ମୂଳ ସ୍ଥାନରୁ ଉପୁଡ଼ି ଯାଇ ନଦୀକୂଳ ଆଡ଼କୁ ଟାଣି ହୋଇଯାଇଛି। ଘଟଣା ସମୟରେ ନଦୀ କୂଳରେ ଥିବା ରାସ୍ତାରେ ଏକ ଟ୍ରକ୍ ଓ ଏକ ଯାଉଥିଲା। ଭୟଙ୍କର ଜଳସ୍ରୋତ ଓ ପୋଲ ଭାସିଯିବାର ଦୃଶ୍ୟ ଦେଖି ଉଭୟ ଗାଡ଼ି ତୁରନ୍ତ ଦିଗ ବଦଳାଇଥିବା ଭିଡିଓରେ ଦେଖାଯାଇଛି। ପୋଲଟି ଭାସିଯିବା ପରେ ଅଞ୍ଚଳଟି ମୁଖ୍ୟ ସହରଠାରୁ ବିଚ୍ଛିନ୍ନ ହୋଇପଡ଼ିଛି। ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ଯାତାୟାତ ନକରିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

