
ନୂଆଦିଲ୍ଲୀ : ସ୍ୱାଧୀନତା ଦିବସ ପୂର୍ବରୁ ପଞ୍ଜାବରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ଗୁଇନ୍ଦା ସୂଚନା ଆଧାରରେ ରାଜ୍ୟକୁ ହାଇ ଆଲର୍ଟରେ ରଖାଯାଇଛି । ଅଗଷ୍ଟ ୧୫ ଅବସରରେ ଖଲିସ୍ତାନ ସମର୍ଥକ ଗୋଷ୍ଠୀ ଅଶାନ୍ତି ସୃଷ୍ଟି କିମ୍ବା ଆକ୍ରମଣ ଉଦ୍ୟମ କରିପାରନ୍ତି ବୋଲି ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ କରିଛନ୍ତି । ସୂଚନା ଅନୁସାରେ, ପଞ୍ଜାବର ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖାଯାଉଛି ।ନିଷିଦ୍ଧ ଖଲିସ୍ତାନ ସମର୍ଥକ ସଂଗଠନ ଏବଂ ସେମାନଙ୍କ ସହ ଜଡ଼ିତ ନେଟୱାର୍କର ଅନଲାଇନ୍ କାର୍ଯ୍ୟକଳାପ ମଧ୍ୟ ଯାଞ୍ଚ କରାଯାଉଛି । ସୋସିଆଲ ମିଡିଆ ମାଧ୍ୟମରେ ଯୁବକମାନଙ୍କୁ ଉସୁକାଇବା ଏବଂ ସାର୍ବଜନୀନ ସ୍ଥାନରେ ଖଲିସ୍ତାନୀ ପତାକା ଲଗାଇବାକୁ ଆହ୍ୱାନ ଦିଆଯାଉଥିବା ନେଇ ମଧ୍ୟ ଏଜେନ୍ସିଗୁଡ଼ିକ ନଜର ରଖିଛନ୍ତି ।ସୁରକ୍ଷା ଏଜେନ୍ସିର ଆକଳନ ଅନୁସାରେ, ସ୍ୱାଧୀନତା ଦିବସ ଭଳି ଗୁରୁତ୍ୱପୂର୍ଣ୍ଣ ଦିନରେ କୌଣସି ଘଟଣା ଘଟାଇ ଆନ୍ତର୍ଜାତୀୟ ସ୍ତରରେ ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଭିଡ଼ ଅଞ୍ଚଳ, ସୀମାବର୍ତ୍ତୀ ଅଞ୍ଚଳ ଏବଂ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବଢ଼ାଯାଇଛି ।

