odisha24 Live

Latest News

Latest News

ବର୍ଷା ଦିନେ ଘରେ ପୋକର ଭୟ

ବର୍ଷା ଋତୁ ଆରମ୍ଭ ହେବା ମାତ୍ରେ ହିଁ ଅନେକଙ୍କ ଘରେ ଏକ ଭୟଙ୍କର ଅତିଥିର ଆଗମନ ହୋଇଥାଏ, ଯାହାକୁ ଆମେ ‘ତେନ୍ତୁଳିଆ ବିଛା’ ବା ‘ଶତପଦୀ’ ବୋଲି କହିଥାଉ । ଏହା କେତେବେଳେ ଟଏଲେଟରେ ଦେଖାଯାଏ ତ କେତେବେଳେ ବାଥ୍‌ରୁମ୍ କିମ୍ବା କିଚେନ୍ ସିଙ୍କ୍ ପାଖରେ ବୁଲୁଥିବାର ନଜର ଆସେ । ଅନେକ ସମୟରେ ଟଏଲେଟ୍ ଫ୍ଲଶ୍ କରିବା ପରେ ମଧ୍ୟ ଏହା ପୁଣି ଥରେ ବାହାରକୁ ଚାଲିଆସେ, ଯାହା ଲୋକଙ୍କ ମନରେ ଭୟ ସୃଷ୍ଟି କରେ । ବିଶେଷ କରି ଯେଉଁମାନେ ତଳେ ଶୁଅନ୍ତି, ସେମାନଙ୍କୁ ସବୁବେଳେ ଚିନ୍ତା ଲାଗି ରହେ ଯେ, କାଳେ ଶୋଇଥିବା ବେଳେ ଏହା କାନ ଭିତରକୁ ପଶିଯିବ ନାହିଁ ତ? ଆସନ୍ତୁ ଜାଣିବା ବର୍ଷା ଦିନେ ଏମାନେ କାହିଁକି ଘରକୁ ଆସନ୍ତି ଏବଂ ଏଥିରୁ ବଞ୍ଚିବାର ଉପାୟ କଣ?
ବର୍ଷା ଦିନେ ହିଁ କାହିଁକି ବଢ଼ିଥାଏ ଏହି ସମସ୍ୟା?
ବର୍ଷା ଦିନେ ମାଟି ତଳେ ପାଣି ଜମିଯିବା ଏବଂ ଆଦ୍ରତା ବଢ଼ିବା ଯୋଗୁଁ ବିଛାମାନେ ନିଜର ପୁରୁଣା ଆଶ୍ରୟସ୍ଥଳୀ ଛାଡ଼ିଦିଅନ୍ତି । ଶୁଖିଲା ଏବଂ ସୁରକ୍ଷିତ ସ୍ଥାନ ସନ୍ଧାନରେ ସେମାନେ ଡ୍ରେନ୍, ସ୍ଵରେଜ୍ ଲାଇନ୍ ଏବଂ ପାଇପ୍ ଦେଇ ଘର ଭିତରକୁ ପ୍ରବେଶ କରନ୍ତି । ଏହି ଜୀବଟି ଅତ୍ୟନ୍ତ ଚଞ୍ଚଳ ଓ ଫୁର୍ତ୍ତିଲା ହୋଇଥାଏ । ଅନେକ ସମୟରେ ଏହା ପାଇପ୍‌ଲାଇନ୍ କିମ୍ବା ଡ୍ରେନ୍ କାନ୍ଥରେ ଲାଖି ରହିଥାଏ, ଯାହାଫଳରେ ଫ୍ଲଶ୍ କରିବା ପରେ ପାଣି ଚାଲିଗଲେ ମଧ୍ୟ ସେ ପୁଣି ଉପରକୁ ଚାଲିଆସେ ।
ଘରେ ବାରମ୍ବାର ଦେଖାଗଲେ କଣ କରିବେ
ଯଦି ଆପଣଙ୍କ ଘରେ ବାରମ୍ବାର ବିଛା ଦେଖାଯାଉଛନ୍ତି, ତେବେ ବାଥ୍‌ରୁମ୍ ଏବଂ ଟଏଲେଟ୍‌କୁ ଯେତେ ସମ୍ଭବ ଶୁଖିଲା ରଖିବାକୁ ଚେଷ୍ଟା କରନ୍ତୁ । ଚଟାଣରେ ଅଧିକ ସମୟ ପାଣି ଜମିବାକୁ ଦିଅନ୍ତୁ ନାହିଁ । ବାଥ୍‌ରୁମ୍ ଏବଂ କିଚେନ୍ ଡ୍ରେନ୍ ଉପରେ ସବୁବେଳେ କଭର ବା ଜାଲି ଲଗାଇ ରଖନ୍ତୁ, ଯଦ୍ଦ୍ୱାରା ପାଇପ୍ ବାଟେ ପୋକ ଭିତରକୁ ଆସିପାରିବେ ନାହିଁ । ସମୟ ସମୟରେ ବ୍ଲିଚିଂ ପାଉଡର, ଫିନାଇଲ୍ କିମ୍ବା ଅନ୍ୟାନ୍ୟ କ୍ଲିନର ବ୍ୟବହାର କରି ଡ୍ରେନେଜ୍ ପାଇପ୍‌କୁ ସଫା କରନ୍ତୁ । ପାଇପ୍‌ଲାଇନ୍‌ରେ ଥିବା ଫାଟ ବା ଲିକେଜ୍‌କୁ ତୁରନ୍ତ ମରାମତି କରନ୍ତୁ । ଏସବୁ ସତ୍ତ୍ୱେ ଯଦି ସମସ୍ୟା କମୁନାହିଁ, ତେବେ ଘରେ ଥରେ ଭଲ ଭାବେ ପେଷ୍ଟ କଣ୍ଟ୍ରୋଲ୍ କରାଇ ନେବା ସବୁଠାରୁ ଭଲ ବିକଳ୍ପ ।

Share In Social Media
Scroll to Top