
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତର ପ୍ରଭାବ ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖା ଗଲାଣି । ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଥିବା ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖିଆଗରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି । କିନ୍ତୁ ଶିକ୍ଷକ ,ଶିକ୍ଷୟିତ୍ରୀ ମାନେ ସ୍କୁଲ ରେ ଉପସ୍ଥିତ ରହିବେ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛୁଟି ନେଇ ପାରିବେ ନାହିଁ ବୋଲି ନୋଟିସ ଜାରି ହୋଇଛି । ଗୁରୁବାର ମହାନଦୀରେ ମଧ୍ୟମ ଧରଣର ବନ୍ୟାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ନିଷ୍ପତ୍ତି ନିଆଯାଇଛି । ତେବେ ଅଗଷ୍ଟ ୧ରେ ସ୍କୁଲ ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଭଦ୍ରକ, ଯାଜପୁର, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ସ୍କୁଲ ଛୁଟି ନିଷ୍ପତ୍ତି ଲାଗୁ କରାଯାଇଛି । ଏପରି ସ୍ଥିତିରେ ସମସ୍ତ ଅଙ୍ଗନବାଡି, ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ ବୋଲି କୁହାଯାଇଛି ।

