
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସକୁ ବେଶ୍ ଧୁମଧାମରେ ପାଳନ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଦୀର୍ଘ ଗୋଟିଏ ମାସ ଧରି ସାରା ରାଜ୍ୟରେ ‘ସେବା ସଂକଳ୍ପ ଅଭିଯାନ’ ଆୟୋଜନ ହେବ। ଏନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ସୂଚନା ଅନୁଯାୟୀ, ରାଜ୍ୟ ବିଜେପି ସଭାପତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ଯାଏଁ ପାଳନ କରିବୁ । ଏହି ଅବଧି ମଧ୍ୟରେ ସେବା କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି । ସ୍କୁଲ୍ କଲେଜରେ କାର୍ଯ୍ୟକ୍ରମ, ପଥପ୍ରାନ୍ତ ନାଟକ, ସଂକଳ୍ପ ଯାତ୍ରା ଆୟୋଜନ କରାଯିବ । ୧୭ ତାରିଖ ସନ୍ଧ୍ୟାରେ ରାଜ୍ୟର ସମସ୍ତ ଲାଭାର୍ଥୀଙ୍କ ଘରେ ଦୀପ ପ୍ରଜ୍ଜ୍ୱଳନ ହେବ । ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରତ୍ୟେକ ସ୍କୁଲ, କଲେଜରେ ଚିତ୍ରାଙ୍କନ ଏବଂ ଭାଷଣ ପ୍ରତିଯୋଗିତା ହେବ । ଭାଷଣ ପ୍ରତିଯୋଗିତା ସମୟରେ ବିଧାୟକ ଏବଂ ଜନ ପ୍ରତିନିଧି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । କେବଳ ସେତିକି ନୁହେଁ, ଅଙ୍ଗନବାଡି କେନ୍ଦ୍ରରେ ବିଭିନ୍ନ ପ୍ରତିଯୋଗିତା କରାଯିବ । ରାସ୍ତା ଏବଂ ଛକରେ ନମୋ ସେବା ଗାଥା ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହେବ । ପିଏମ ମୋଦୀଙ୍କ ଶାସନର ୨୫ ବର୍ଷରେ ୨୫ ସେବାକୁ ନେଇ ନେତା ତଳସ୍ତରକୁ ଯିବେ।





