odisha24 Live

Latest News

Latest News

ଫୁଲୁଛି ମହାନଦୀ: ପୁଣି ଖୋଲିଲା ଜଳଭଣ୍ଡାର

ଭୁବନେଶ୍ବର: ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେତୁ ହୀରାକୁଦ ଜଳ ଭଣ୍ଡାର ଜଳସ୍ତର ବୃଦ୍ଧି ପାଇଛି। ହୀରାକୁଦ ଜଳ ଭଣ୍ଡାରର ୨୮ଟି ଫାଟକ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବାରୁ ମହାନଦୀ ଏବଂ ଏହାର ଶାଖା ନଦୀର ଜଳସ୍ତର ବୃଦ୍ଧି ପାଇଛି। ମୁଣ୍ଡଳି ବ୍ୟାରେଜ୍‌ ଦେଇ ପ୍ରାୟ ୮ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା। କଟକ, ଖୋରଧା, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲାର ତଳିଆ ଅଞ୍ଚଳ ପ୍ରତି ବିପଦ ଆଶଙ୍କା ଥିବାରୁ ସତର୍କ ରହିବାକୁ ଜିଲା ପ୍ରଶାସନ ଏବଂ ଜନସାଧାରଣଙ୍କୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତଙ୍କ ସୂଚନାନୁଯାୟୀ, ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାର ୨୮ଟି ଫାଟକ ଖୋଲି ବନ୍ୟାଜଳ ନିଷ୍କାସନ କରାଯାଉଛି। ଉପରମୁଣ୍ଡରୁ ଜଳ ଭଣ୍ଡାରକୁ ୫,୨୨,୯୯୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨୮ଟି ଫାଟକ, ପାୱାର ଚ୍ୟାନେଲ ଏବଂ କେନାଲ ଦେଇ ୪,୮୪,୮୭୩ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ଛତିଶଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ ବଢ଼ିବାର ଅନୁମାନ କରାଯାଉଛି। ଆସନ୍ତାକାଲି ସାଢ଼େ ୬ଲକ୍ଷ କ୍ୟୁସେକରୁ ଅଧିକ ବନ୍ୟାଜଳ ପ୍ରବେଶ କରିବାର ସମ୍ଭାବନା ରହିଛି। ପରିସ୍ଥିତିକୁ ଦେଖି ଆଗକୁ ଆହୁରି ଫାଟକ ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ। ତେବେ ବନ୍ୟା ନିୟନ୍ତ୍ରଣ କରିବା ପାଇଁ ମୁଣ୍ଡଳିରେ ୮ଲକ୍ଷ କ୍ୟୁସେକ୍‌ରୁ ଅଧିକ ଜଳ ଛଡ଼ାଯିବନାହିଁ। କାରଣ ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ପ୍ରବେଶ କଲେ ତଳିଆ ଅଞ୍ଚଳରେ ବଡ଼ ବନ୍ୟା ଆସିବ। ମହାନଦୀ ଏବଂ ଶାଖା ନଦୀ କାଠଯୋଡ଼ି, କୁଆଖାଇ, କୁଶଭଦ୍ରା ଓ ଦୟା ନଦୀରେ ବନ୍ୟା ଆସିବ। ବନ୍ୟା ଯୋଗୁଁ କଟକ, ପୁରୀ ଏବଂ ଖୋରଧା ଜିଲାର ବାଙ୍କୀ, ବଡ଼ମ୍ବା, ଆଠଗଡ଼, କଣାସ, ନିମାପଡ଼ା, ଗୋପ ଏବଂ ବ୍ରହ୍ମଗିରି ଅଞ୍ଚଳର ତଳିଆ ଗାଁଗୁଡିକରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଜଗତସିଂହପୁର ଜିଲାରେ ମହାନଦୀ ଏବଂ ଏହାର ଶାଖା ନଦୀ ଦେବୀ, ବିଲୁଆଖାଇ ଏବଂ ପାଇକାରେ ବନ୍ୟା ଆସିବ। ଜିଲାର ବାଲିକୁଦା, ନାଉଗାଁ, ତିର୍ତ୍ତୋଲ, କୁଜଙ୍ଗ ଏବଂ ଜଗତସିଂହପୁର ବ୍ଲକର ତଳିଆ ଅଞ୍ଚଳ ମଧ୍ୟ ପ୍ରଭାବିତ ହେବ। ସେହିପରି କେନ୍ଦ୍ରାପଡ଼ା ଜିଲାରେ ମହାନଦୀ ଏବଂ ଏହାର ଶାଖା ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳାରେ ବନ୍ୟା ଆସିବା ଦ୍ବାରା ମାର୍ଶାଘାଇ, ଗରଦପୁର, ଡେରାବିଶ, ମହାକାଳପଡ଼ା ବ୍ଲକର ତଳିଆ ଅଞ୍ଚଳ ଗାଁ ଗୁଡ଼ିକରେ ବନ୍ୟାପାଣି ପ୍ରବେଶ କରି ଜଳମଗ୍ନ ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ରହିଛି। ଏହି ସ୍ଥିତି ପ୍ରାୟ ୨୪ରୁ ୪୮ଘଣ୍ଟା ଲାଗି ରହିବାର ଆଶଙ୍କା ରହିଛି। କଟକ, ଜଗତସିଂହପୁର, ଖୋରଧା, ପୁରୀ ଓ କେନ୍ଦ୍ରାପଡ଼ା ଜିଲା ମହାନଦୀ ବନ୍ୟାରେ ବିଶେଷଭାବେ ପ୍ରଭାବିତ ହୋଇପାରେ।
ଆଜି ସନ୍ଧ୍ୟା ସୁଦ୍ଧା ମହାନଦୀର ବରମୂଳଠାରେ ୨.୨୮ଲକ୍ଷ କ୍ୟୁସେକ୍‌, ଖଇରମାଳରେ ୬.୩୦ ଲକ୍ଷ କ୍ୟୁସେକ୍ ଓ ମୁଣ୍ଡଳି ଦେଇ ୫,୦୪,୮୦୧ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଛି। ଚଳିତ ଦକ୍ଷିଣ-ପଶ୍ଚିମ ମୌସୁମି ଋତୁରେ ମହାନଦୀରେ ଏହା ହେଉଛି ଚତୁର୍ଥ ବନ୍ୟା। ପ୍ରଥମ ବନ୍ୟାରେ ମୁଣ୍ଡଳିରେ ୫ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ଛୁଇଁଥିବା ବେଳେ ଦ୍ବିତୀୟ ବନ୍ୟାରେ ୬.୬୯ଲକ୍ଷ କ୍ୟୁସେକ୍‌ ଏବଂ ତୃତୀୟ ବନ୍ୟାରେ ୮.୮୦ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହୋଇଥିଲା। ସମ୍ଭାବ୍ୟ ବନ୍ୟା ପାଇଁ ଜଳ ସମ୍ପଦ ବିଭାଗର ସମସ୍ତ ଯନ୍ତ୍ରୀଙ୍କୁ ମୁଖ୍ୟାଳୟ ନଛାଡ଼ିବାକୁ କୁହାଯାଇ ଥିବାବେଳେ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ରାତିରେ ପାଟ୍ରୋଲିଂ କରିବାକୁ ନିର୍ଦେଶ ଦିଆଯାଇଛି।

Share In Social Media
Scroll to Top