odisha24 Live

Latest News

Latest News

ରାକ୍ଷୀକୁ ନେଇ କଣ କହେ ପୌରାଣିକ

ପୌରାଣିକ କଥା ଅନୁସାରେ ରାକ୍ଷୀ ବା ରକ୍ଷାବନ୍ଧନ ହେଉଛି ସୁରକ୍ଷା, ସ୍ନେହ ଏବଂ ପ୍ରତିଶୃତିର ପ୍ରତୀକ। ହିନ୍ଦୁ ପୁରାଣ ଏବଂ ଇତିହାସରେ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କାହାଣୀ ରହିଛି। ଯାହା ଏହି ପର୍ବର ମହତ୍ତ୍ୱକୁ ଦର୍ଶାଇଥାଏ।
ପୌରାଣିକ ମହତ୍ତ୍ୱ:- ରାକ୍ଷୀ ପୂର୍ଣ୍ଣିମା ସହ ଜଡ଼ିତ ଅନେକ ପୌରାଣିକ କାହାଣୀ ରହିଛି । ଏଥିମଧ୍ୟରୁ ଭଗବାନ ଶ୍ରୀକୃଷ୍ଣ ଓ ଦ୍ରୌପଦୀଙ୍କ କାହାଣୀ ଅତ୍ୟନ୍ତ ପ୍ରସିଦ୍ଧ । ମହାଭାରତର ଏକ ପ୍ରସଙ୍ଗ ଅନୁସାରେ, ଶ୍ରୀକୃଷ୍ଣଙ୍କ ହାତରେ ଆଘାତ ଲାଗି ରକ୍ତ ବାହାରୁଥିବା ଦେଖି ଦ୍ରୌପଦୀ ନିଜ ଶାଢ଼ିରୁ କିଛି କପଡ଼ା ଛିଣ୍ଡାଇ ତାଙ୍କ ହାତରେ ବାନ୍ଧି ଦେଇଥିଲେ । ଏହାକୁ ଭଉଣୀର ସ୍ନେହ ଓ ଭାଇ ପ୍ରତି ମମତାର ପ୍ରତୀକ ଭାବେ ଦେଖାଯାଏ । ଏହି ସ୍ନେହର ସୂତା ବଦଳରେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ସବୁ ସଙ୍କଟରୁ ରକ୍ଷା କରିବାକୁ ପ୍ରତିଶୃତି ଦେଇଥିଲେ।ପରବର୍ତ୍ତୀ ସମୟରେ, କୌରବ ସଭାରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ବେଳେ ଶ୍ରୀକୃଷ୍ଣ କୋଟି ବସ୍ତ୍ର ଦାନ କରି ତାଙ୍କ ସମ୍ମାନ ରକ୍ଷା କରିଥିଲେ।
ମାତା ଲକ୍ଷ୍ମୀ ଏବଂ ରାଜା ବଳିଙ୍କ କାହାଣୀ :- ପୁରାଣ ଅନୁସାରେ, ଦାନବୀର ରାଜା ବଳିଙ୍କ ଭକ୍ତିରେ ପ୍ରସନ୍ନ ହୋଇ ଭଗବାନ ନାରାୟଣ ତାଙ୍କ ପାତାଳ ପୁରୀର ଦ୍ୱାରପାଳ ହେବାକୁ ସ୍ୱୀକାର କରିଥିଲେ। ଏହା ଦେଖି ମାତା ଲକ୍ଷ୍ମୀ ଚିନ୍ତିତ ହୋଇପଡ଼ିଲେ ଏବଂ ଭଗବାନ ନାରାୟଣଙ୍କୁ ବୈକୁଣ୍ଠକୁ ଫେରାଇ ଆଣିବାକୁ ଏକ ଉପାୟ କଲେ।ମାତା ଲକ୍ଷ୍ମୀ ଜଣେ ସାଧାରଣ ନାରୀ ବେଶରେ ରାଜା ବଳିଙ୍କ ପାଖକୁ ଗଲେ।ଶ୍ରାବଣ ପୂର୍ଣ୍ଣିମା ଦିନ ସେ ରାଜା ବଳିଙ୍କ ହାତରେ ଏକ ରକ୍ଷା ସୂତ୍ର (ରାକ୍ଷୀ) ବାନ୍ଧି ତାଙ୍କୁ ନିଜର ଭାଇ ବୋଲି ଗ୍ରହଣ କଲେ।ଉପହାର ସ୍ୱରୂପ ସେ ରାଜା ବଳିଙ୍କଠାରୁ ସ୍ୱାମୀ ଭଗବାନ ନାରାୟଣଙ୍କୁ ମାଗିନେଲେ ଏବଂ ବଳି ମଧ୍ୟ ନିଜ ଭଗ୍ନୀର ଅନୁରୋଧ ରକ୍ଷା କଲେ।
ଦେବରାଜ ଇନ୍ଦ୍ର ଏବଂ ଦେବୀ ଶଚୀଙ୍କ କଥା : – ଭବିଷ୍ୟ ପୁରାଣ ଅନୁସାରେ, ଏକଦା ଦେବତା ଏବଂ ଅସୁରମାନଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଥିଲା। ଯୁଦ୍ଧରେ ଦେବତାମାନେ ପରାଜିତ ହେବାକୁ ଲାଗିଲେ। ଏହା ଦେଖି ଦେବରାଜ ଇନ୍ଦ୍ର ଭୟଭୀତ ହୋଇ ଦେବଗୁରୁ ବୃହସ୍ପତିଙ୍କ ଶରଣ ପଶିଲେ। ସେହି ସମୟରେ ଇନ୍ଦ୍ରଙ୍କ ପତ୍ନୀ ଦେବୀ ଶଚୀ (ଇନ୍ଦ୍ରାଣୀ) ଏକ ମନ୍ତ୍ରପୂତ ପବିତ୍ର ସୂତା ପ୍ରସ୍ତୁତ କରି ଇନ୍ଦ୍ରଙ୍କ ଡାହାଣ ହାତ ମଣିବନ୍ଧରେ ବାନ୍ଧି ଦେଇଥିଲେ।ଏହି ରକ୍ଷା ସୂତ୍ର ପ୍ରଭାବରେ ଦେବରାଜ ଇନ୍ଦ୍ର ଯୁଦ୍ଧରେ ବିଜୟୀ ହୋଇଥିଲେ। ପୂର୍ବକାଳରେ ଏହି ରକ୍ଷା ସୂତ୍ର କେବଳ ଭାଇ-ଭଉଣୀ ମଧ୍ୟରେ ସୀମିତ ନଥିଲା, ବରଂ ବିଜୟ ଓ ସୁରକ୍ଷା ପାଇଁ ଯେକୌଣସି ଶୁଭ କାର୍ଯ୍ୟରେ ବନ୍ଧାଯାଉଥିଲା।
ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ : – ଓଡ଼ିଶାର ସଂସ୍କୃତିରେ ରାକ୍ଷୀ ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଏ। ପୌରାଣିକ ମତ ଅନୁସାରେ ଏହି ଦିନ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ଜନ୍ମ ହୋଇଥିଲା। ଶ୍ରୀମନ୍ଦିରରେ ମା ସୁଭଦ୍ରା ଜଗନ୍ନାଥ ଏବଂ ବଳଭଦ୍ରଙ୍କ ହାତରେ ସ୍ୱତନ୍ତ୍ର ପାଟ ରାକ୍ଷୀ ବାନ୍ଧିଥାନ୍ତି। ଏହାସହ ଏହି ଦିନ କୃଷି ଓ ଗୋ-ସମ୍ପଦର ପୂଜା ମଧ୍ୟ କରାଯାଏ।
ଏହି ସମସ୍ତ କାହାଣୀର ମୂଳ ଭାବନା ହେଉଛି ସ୍ନେହ, ବିଶ୍ୱାସ, ଦାୟିତ୍ୱ ଓ ପରସ୍ପର ସୁରକ୍ଷା । ରାକ୍ଷୀ କେବଳ ଏକ ସୂତା ନୁହେଁ; ଏହା ଦୁଇଟି ହୃଦୟକୁ ସ୍ନେହରେ ବାନ୍ଧି ରଖୁଥିବା ଏକ ପ୍ରତୀକ । ଆଜିର ଦିନରେ ଏହି ପର୍ବ କେବଳ ଭାଇ-ଭଉଣୀଙ୍କ ମଧ୍ୟରେ ସୀମିତ ନ ରହି ସ୍ନେହ, ସମ୍ମାନ ଓ ମାନବିକତାର ବନ୍ଧନକୁ ମଧ୍ୟ ମଜବୁତ କରୁଛି । ରାକ୍ଷୀ ପୂର୍ଣ୍ଣିମା ଆମକୁ ମନେ ପକାଇ ଦିଏ ଯେ ସମ୍ପର୍କର ମୂଲ୍ୟ ଉପହାରରେ ନୁହେଁ, ବରଂ ପରସ୍ପର ପ୍ରତି ଥିବା ଭଲପାଇବା, ବିଶ୍ୱାସ ଓ ସମ୍ମାନରେ ରହିଛି ।

Share In Social Media
Scroll to Top