
ଭୁବନେଶ୍ୱର : ରୁଫ୍ଟପ୍ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି ବୋଲି ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମ୍ଏନ୍ଆର୍ଇ) ପୋର୍ଟାଲରେ ଉପଲବ୍ଧ ତଥ୍ୟରୁ ଜଣାପଡ଼ିଛି। ଏହାଦ୍ୱାରା ଓଡ଼ିଶା ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ରୁଫ୍ଟପ୍ ସୋଲାର ବଜାର ଭାବେ ଉଭାହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୧.୭୪ ଲକ୍ଷ ରୁଫ୍ଟପ୍ ସୋଲାର ସିଷ୍ଟମ ସ୍ଥାପନ କରାଯାଇଥିଲାବେଳେ ଏହି ଯୋଜନା ଅଧୀନରେ ମୋଟ ୩,୧୨,୫୨୭ଟି ଆବେଦନ ଗ୍ରହଣ କରାଯାଇଛି। ସରକାରଙ୍କ ଆର୍ଥତ୍କ ପ୍ରୋତ୍ସାହନ, ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକର ସଫଳ କାର୍ଯ୍ୟାନ୍ବୟନ, ଭେଣ୍ଡର ଇକୋସିଷ୍ଟମର ସମ୍ପ୍ରସାରଣ, ଉପଭୋକ୍ତା ସୁବିଧା ଏବଂ ତୃଣମୂଳ ସ୍ତରର ନିରନ୍ତର ସଚେତନତା ମାଧ୍ୟମରେ ଉପଭୋକ୍ତାଙ୍କ ଆଗ୍ରହକୁ ରୁଫ୍ଟପ୍ ସୋଲାର ସ୍ଥାପନ ଦିଗରେ ସଫଳ କରାଯାଇପାରିଛି ବୋଲି ଟାଟା ପାଓ୍ବାର ପକ୍ଷରୁ କୁହାଯାଇଛି । ଏ କ୍ଷେତ୍ରରେ ଓଡ଼ିଶା ମଧ୍ୟପ୍ରଦେଶ ଏବଂ ଆସାମକୁ ପଛରେ ପକାଇ ଭାରତର ବିକେନ୍ଦ୍ରୀକୃତ ସ୍ବଚ୍ଛ ଶକ୍ତି ରୂପାନ୍ତରଣରେ ଏକ ପ୍ରମୁଖ ଯୋଗଦାନକାରୀ ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।





