
ଭୁବନେଶ୍ୱର : ଦିନକୁ ଦିନ ବଢ଼ିବାରେ ଲାଗୁଛି ପରିବା ଓ ସଉଦାର ଦର । ମଧ୍ୟବିତ୍ତ ପରିବାରର ରୋଷେଇ ଘର ବଜେଟକୁ ପ୍ରଭାବିତ କରୁଛି । ହୁ ହୁ ହୋଇ ବଢୁଛି ଗ୍ରୋସରୀ ସାମଗ୍ରୀ ଦର। ତା ସହ ତାଳ ଦେଇ ବଢ଼ିବାରେ ଲାଗିଛି ପରିବା ରେଟ୍ । ୧୦୦ ଟଙ୍କା ତଳକୁ କିଛି ନାହିଁ । ହଜାରେ ଟଙ୍କା ନେଲେ ବି ବ୍ୟାଗ ପୁରୁନି। ପ୍ରତ୍ୟକ ଜିନିଷର ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି ।
ଖାଦ୍ୟ ପଦାର୍ଥ, ଖଣିଜ ତେଲ, ଅଶୋଧିତ ପେଟ୍ରୋଲିୟମ ଏବଂ ନିର୍ମାଣ ସାମଗ୍ରୀ ମୂଲ୍ୟ ବଢ଼ିବା ଯୋଗୁ ପାଇକାରୀ ମୁଦ୍ରାସ୍ଫୀତିରେ ଏଭଳି ଉଦ୍ବେଗଜନକ ବୃଦ୍ଧି ରେକର୍ଡ କରାଯାଇଛି। ସରକାରୀ ରିପୋର୍ଟ ଅନୁସାରେ, ଜୁଲାଇରେ ଖାଦ୍ୟ ମୁଦ୍ରାସ୍ଫୀତି ୫.୫୨ ପ୍ରତିଶତ ରହିଥିଲାବେଳେ ଅଗଷ୍ଟରେ ଏହା ୫.୯୫ ପ୍ରତିଶତକୁ ବୃଦ୍ଧି ପାଇଛି। ଚଳିତ ବର୍ଷ ପ୍ରଭାବିତ ମୌସୁମୀ ଏବଂ ପାଣିପାଗର ଅନିଶ୍ଚିତତାକୁ ନେଇ ଚିନି, ପିଆଜ, ଅଦା ଏବଂ ରସୁଣ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି। ଅଗଷ୍ଟରେ ଖାଦ୍ୟ ଏବଂ ପାନୀୟ ସାମଗ୍ରୀର ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ସହିତ ଅଣ୍ଡା, ମାଂସ, ଫଳ ଓ ବାଦାମ/କାଜୁ ଆଦି ଉତ୍ପାଦଗୁଡ଼ିକରେ ଦୁଇ ଅଙ୍କ ବିଶିଷ୍ଟ ମୁଦ୍ରାସ୍ଫୀତି ରେକର୍ଡ କରାଯାଇଛି।
ସେହିପରି ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ହାର ୫.୨୩ ପ୍ରତିଶତ ଥିବା ବେଳେ ସହରାଞ୍ଚଳରେ ଏହା ୪.୩୧ ପ୍ରତିଶତ ରହିଛି। ଲଗାତର ୩ୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ସନ୍ତୋଷଜନକ ଲକ୍ଷ୍ୟ ୪ ପ୍ରତିଶତଠାରୁ ଉପରେ ରହିଛି।





