
ନୂଆଦିଲ୍ଲୀ : ସାରା ଦେଶରେ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ତୀବ୍ର ଅସନ୍ତୋଷ, ଆଶଙ୍କା ଓ ବିରୋଧ ମଧ୍ୟରେ ପରୀକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ନୀଟ୍ ଏବଂ ଅନ୍ୟାନ୍ୟ ଜାତୀୟ ସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ବାରମ୍ବାର ଘଟୁଥିବା ପ୍ରଶ୍ନପତ୍ର ଲିକ୍ ଘଟଣାର ସ୍ଥାୟୀ ସମାଧାନ ପାଇଁ, କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ପରୀକ୍ଷା ସଂସ୍କାର ଟାସ୍କ ଫୋର୍ସ ଏକ ଗୁରୁତ୍ୱପୂର୍ଣ୍ଣ ଓ ଯୁଗାନ୍ତକାରୀ ସୁପାରିଶ କରିଛି।
ଟାସ୍କ ଫୋର୍ସର ମୁଖ୍ୟ ତଥା ଆଇଟି କ୍ଷେତ୍ରର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ନନ୍ଦନ ନୀଲେକାନି ଏକ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି: “ଯଦି ପ୍ରଶ୍ନପତ୍ରଗୁଡ଼ିକ ଆଗୁଆ ଛପାଯାଏ, ତେବେ ଲୋଭ ଏବଂ କୋଟି କୋଟି ଟଙ୍କାର କଳାବଜାରୀ କାରବାରକୁ ରୋକିବା ଅସମ୍ଭବ। ଏହାର କେବଳ ଗୋଟିଏ ସ୍ଥାୟୀ ସମାଧାନ ରହିଛି, ହେଉଛି ପ୍ରଶ୍ନପତ୍ରକୁ ସବୁଠାରୁ ଶେଷ ମୁହୂର୍ତ୍ତରେ ଅର୍ଥାତ୍ ପରୀକ୍ଷା ଦିନ ହିଁ ପ୍ରସ୍ତୁତ କରାଯିବା ଆବଶ୍ୟକ।
ପରୀକ୍ଷା ପୂର୍ବରୁ କୌଣସି ନିର୍ଦ୍ଦିଷ୍ଟ ପ୍ରଶ୍ନପତ୍ର ପ୍ରସ୍ତୁତ ରହିବ ନାହିଁ, ଫଳସ୍ୱରୂପ ଚୋରି କିମ୍ବା ଲିକ୍ କରିବା ପାଇଁ କିଛି ବି ରହିବ ନାହିଁ! ସେଥିପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏକ ସୁରକ୍ଷା କବଚ ଭାବରେ କାର୍ଯ୍ୟ କରିବ। ସବୁଠାରୁ ବଡ଼ ପ୍ରଶ୍ନଟି ଥିଲା ଯେ, ଏତେ ବଡ଼ ଏକ ପରୀକ୍ଷା ପାଇଁ ପ୍ରଶ୍ନପତ୍ର କ’ଣ ପରୀକ୍ଷା ଦିନ ହିଁ ଶେଷ ମୁହୂର୍ତ୍ତରେ ପ୍ରସ୍ତୁତ କରାଯାଇପାରିବ?
ଏହାର ଉତ୍ତରରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ପ୍ରକାଶ କରି ସେ କହିଲେ, “ହଁ, ନିଶ୍ଚିତ ଭାବରେ! ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅତି କମ୍ ସମୟ ମଧ୍ୟରେ ଏହି ଆହ୍ୱାନର ମୁକାବିଲା କରିନେବ।” ଏଆଇ ମାଧ୍ୟମରେ ସେହି ଦିନ ହିଁ ଉଚ୍ଚମାନର ପ୍ରଶ୍ନପତ୍ର ସୁରକ୍ଷିତ ଭାବେ ପ୍ରସ୍ତୁତ କରାଯାଇ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପଠାଯାଇପାରିବ।





