
ଭୁବନେଶ୍ୱର : ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଛି । ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର । ଓଡ଼ିଶାର ସମସ୍ତ ପ୍ରମୁଖ ଶୈବ ପୀଠଗୁଡ଼ିକ ଭକ୍ତଙ୍କ ଗହଳିରେ ଚଳଚଞ୍ଚଳ ହୋଇଉଠିଛି। କାର୍ତ୍ତିକ ମାସକୁ ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ମାସ ଭାବେ ଗଣନା କରାଯାଉଥିବାରୁ, ଏହି ମାସର ପ୍ରତ୍ୟେକ ସୋମବାର ଦିନ ମହାଦେବଙ୍କ ପୂଜାର୍ଚ୍ଚନା ଓ ଜଳାଭିଷେକର ବିଶେଷ ମହତ୍ତ୍ୱ ରହିଛି।
କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିରରେ ବଡ଼ି ଭୋରରୁ ଭକ୍ତ ଓ ହବିଷ୍ୟାଳୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି। ମହାଦେବଙ୍କ ଦର୍ଶନ ସହ ପଞ୍ଚୁକ ଓ କାର୍ତ୍ତିକ ବ୍ରତର ଶୁଭାରମ୍ଭ ପାଇଁ ଏଠାରେ ସ୍ୱତନ୍ତ୍ର ନୀତିକାନ୍ତି କରାଯାଉଛି।
ଏକାମ୍ର କ୍ଷେତ୍ରର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ଶ୍ରଦ୍ଧାଳୁମାନେ ପବିତ୍ର ବିନ୍ଦୁସାଗରରେ ସ୍ନାନ କରି ବାବାଙ୍କ ଦର୍ଶନ ପାଇଁ ଧାଡ଼ି ବାନ୍ଧିଛନ୍ତି।
ଶ୍ରୀକ୍ଷେତ୍ର ପୁରୀର ପବିତ୍ର ପ୍ରସିଦ୍ଧ ଶୈବପୀଠ ବାବା ଲୋକନାଥଙ୍କ ମନ୍ଦିର ମଧ୍ୟ ହରିବୋଲ ଓ ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହେଉଛି।





