
ଶ୍ରାବଣ ମାସର କୃଷ୍ଣ ପକ୍ଷରେ ପଡିଥାଏ କାମିକା ଏକାଦଶୀ । ପୁରୀ ଶ୍ରୀମନ୍ଦିର ଓ ଜଗନ୍ନାଥ ସଂସ୍କୃତିରେ ଏହାକୁ ‘ଚକ୍ରବୁଲା ଏକାଦଶୀ’ ବୋଲି ମଧ୍ୟ କୁହାଯାଏ । ଏହି ଦିନ ସୃଷ୍ଟିର ପାଳନକର୍ତ୍ତା ଭଗବାନ ନାରାୟଣ (ଶ୍ରୀଧର ରୂପ)ଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ । ଯେଉଁ ବ୍ୟକ୍ତି ଏହି ଏକାଦଶୀକୁ ସଂପୂର୍ଣ୍ଣ ବିଧିବିଧାନ ଏବଂ ନିଷ୍ଠାପର ଭାବେ ପୂଜା କରିଥାନ୍ତି ତାହାର ସମସ୍ତ ଚିନ୍ତା ଏବଂ ଜନ୍ମ ମୃତ୍ୟୁ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି । ପଦ୍ମ ପୁରାଣରେ ଏହି ବିଷୟରେ ଉଲ୍ଲେଖ ରହିଛି ଯେ, ଭଗବାନ ବିଷ୍ଣୁ ଧର୍ମରାଜ ଯୁଧିଷ୍ଠିରକୁ ଏକାଦଶୀର ଧାର୍ମିକ ମହତ୍ତ୍ବ ବିଷୟରେ କହିଥିଲେ । ଯେପରି ନାଗ ମଧ୍ୟରେ ଶେଷନାଗ, ପକ୍ଷୀମାନଙ୍କ ମଧ୍ୟରେ ଗରୁଡ ଏବଂ ଦେବତାଙ୍କ ମାନଙ୍କ ମଧ୍ୟରେ ବିଷ୍ଣୁ, ବୃକ୍ଷ ମଧ୍ୟରେ ବର ଏବଂ ମନୁଷ୍ୟ ମଧ୍ୟରେ ଶ୍ରେଷ୍ଠ ବ୍ରାହ୍ମଣ ହୋଇଥାନ୍ତି, ସେହିପରି ସମସ୍ତ ବ୍ରତ ମଧ୍ୟରେ ଏକାଦଶୀ ବ୍ରତ ସର୍ବଶ୍ରେଷ୍ଠ ଅଟେ ।
ଆସନ୍ତୁ ଜାଣିବା ଏହାର ପୂଜା ବିଧି :-
– କାମିକ ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ସମସ୍ତ ନାମକୁ ଜପ କରିବା ଆବଶ୍ୟକ। ଶ୍ରୀମଦଭଗବତ ଗୀତରେ ଭଗବାନ ଶ୍ରୀକୃଷ୍ଣ କାମିକଳ ଏକାଦଶୀ ବିଷୟରେ କହିଛନ୍ତି, ଯେଉଁ ବ୍ୟକ୍ତି ଏହି ଦିନ ନାରାୟଣଙ୍କ ପ୍ରତିମା ସମୁଖରେ ଘିଅ କିମ୍ବା ତେଲରେ ଦୀପ ଲଗାଇବ ତାକୁ ପୂଣ୍ୟ ମିଳିବ।
– କାମିକା ଏକାଦଶୀ ବ୍ରତ ରଖୁଥିବା ଲୋକ ଦଶମୀରୁ ଏହାର ପୂଜାର୍ଚ୍ଚନା କରିବା ଆବଶ୍ୟକ। କାମିକା ଏକାଦଶୀ ଦିନ ସକାଳୁ ନିତ୍ୟକର୍ମ ସାରି ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ସହ ଧୂପ, ଦୀପ, ଫଳ, ଫୁଲ ଏବଂ ନୈବେଦ ଅର୍ପଣ କରିବା ଆବଶ୍ୟକ। ପୁରାଦିନ ଭଗବାନ ବିଷ୍ଣୁଙ୍କ ସ୍ମରଣ କରିବା ଉଚିତ। କାହା ଉପରେ ମଧ୍ୟ ରାଗ, କ୍ରୋଧ ନ କରି ମନରେ ସ୍ବାତ୍ତିକ ବିଚାର ହିଁ ଆଣିବା ଦରକାର।
-ସନ୍ଧ୍ୟା ସମୟରେ ଜ୍ଞାନୀ ପଣ୍ଡିତଙ୍କ ସହିତ କାମିକ ଏକାଦଶୀ ବ୍ରତ କଥା ଶୁଣିବା ଦରକାର। ଏହାସହିତ ବିଷ୍ଣୁଙ୍କ ମନ୍ତ୍ର ‘ଓଁ ନମୋଃ ଭଗବତେ ବାସୁଦେବାୟ’ ଯଥାସମ୍ଭବ ଜପ କରିବା ଆବଶ୍ୟକ। ଏହାଛଡା ଏହିଦିନ ବିଷ୍ଣୁସହସ୍ରନାମ ପାଠ କରିବା ମଧ୍ୟ ଦରକାର।
ବ୍ରତ ଭାଙ୍ଗିବାର ନିୟମ : – ଏକାଦଶୀ ବ୍ରତ ପରଦିନ ଦ୍ୱାଦଶୀ ତିଥିରେ ପାରଣ କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ, ଉପଯୁକ୍ତ ପାରଣ ସମୟରେ ବ୍ରତ ଭାଙ୍ଗିବା ଉଚିତ। ତେବେ ପାରଣର ନିର୍ଦ୍ଦିଷ୍ଟ ସମୟ ପ୍ରତ୍ୟେକ ସ୍ଥାନର ପଞ୍ଜିକା ଅନୁସାରେ ଭିନ୍ନ ହୋଇପାରେ। କାମିକା ଏକାଦଶୀ କେବଳ ଉପବାସର ଦିନ ନୁହେଁ, ବରଂ ଭକ୍ତି, ଆତ୍ମସଂଯମ ଓ ଆଧ୍ୟାତ୍ମିକ ଚିନ୍ତନର ଏକ ପବିତ୍ର ଅବସର। ଏହି ଦିନ ଭକ୍ତିର ସହ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କଲେ ମନକୁ ଶାନ୍ତି ମିଳିଥାଏ ବୋଲି ଭକ୍ତମାନଙ୍କ ବିଶ୍ୱାସ।

