
ଭୁବନେଶ୍ୱର : ରାଜ୍ୟରେ ସରକାରୀ ଯୋଜନାର ବାସ୍ତବ ରୂପାୟନ ଓ ଲୋକଙ୍କୁ ମିଳୁଥିବା ସେବାର ସ୍ଥିତି ଯାଞ୍ଚ ପାଇଁ ଜିଲ୍ଲା ଗସ୍ତ କରିବେ ୩୦ ଜଣ ସଚିବ ଓ ବରିଷ୍ଠ ଅଧିକାରୀ । ଅଗଷ୍ଟରୁ ଅକ୍ଟୋବର ୨୦୨୬ ମଧ୍ୟରେ ଅଧିକାରୀମାନେ ନିଜ ନିଜକୁ ଆବଣ୍ଟିତ ଜିଲ୍ଲା ଗସ୍ତ କରିବେ । ଏ ନେଇ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂଙ୍କ ପକ୍ଷରୁ ଜାରୀ ନିର୍ଦ୍ଦେଶନାମାରେ କୁହାଯାଇଛି, “ଜିଲ୍ଲା ଗସ୍ତରେ ଯାଇ ଅଧିକାରୀମାନେ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଭୌତିକ ଏବଂ ଆର୍ଥିକ ପ୍ରଗତି ସମୀକ୍ଷା କରିବେ । କେବଳ ବିଭାଗୀୟ ରିପୋର୍ଟ ଉପରେ ନିର୍ଭର ନକରି ଯୋଜନାଗୁଡ଼ିକର ସୁଫଳ ବାସ୍ତବରେ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି କି ନାହିଁ, ସେ ନେଇ ସ୍ଥଳ ପରିଦର୍ଶନ କରି ଅନୁଧ୍ୟାନ କରାଯିବ । ବିଶେଷକରି ସ୍ୱାସ୍ଥ୍ୟସେବା ଉପରେ ରହିବ ଗୁରୁତ୍ୱ । ଅଧିକାରୀମାନେ ଜିଲ୍ଲାର ହସ୍ପିଟାଲ, ପିଏଚ୍ସି ଓ ସିଏଚ୍ସି ଆଦିକୁ ଅଚାନକ ପରିଦର୍ଶନ କରିବେ । ଡାକ୍ତର, ନର୍ସ ଓ ଅନ୍ୟ ମାନବ ସମ୍ବଳର ସ୍ଥିତି, ଔଷଧ ଉପଲବ୍ଧତା, ଆବଶ୍ୟକ ସେବା ଏବଂ ଆପାତକାଳୀନ ବ୍ୟବସ୍ଥା କିଭଳି ରହିଛି, ତାହା ଯାଞ୍ଚ ହେବ । ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରି ସେବାର ବାସ୍ତବ ଚିତ୍ର ଜାଣିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟାଳୟ ଓ ଛାତ୍ରାବାସ ମଧ୍ୟ ଏହି ତଦାରଖରୁ ବାଦ ପଡ଼ିବ ନାହିଁ । ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ ଓ ମହିଳାଙ୍କ ପାଇଁ ମିଳୁଥିବା ସେବା, ପୁଷ୍ଟିକର ଖାଦ୍ୟ ଓ ଅନ୍ୟାନ୍ୟ ବ୍ୟବସ୍ଥା ଯାଞ୍ଚ କରାଯିବ । ସେହିପରି ବିଦ୍ୟାଳୟରେ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ସୁବିଧା ଓ ଛାତ୍ରାବାସର ପରିଚାଳନା ସମ୍ପର୍କରେ ମଧ୍ୟ ଅଧିକାରୀମାନେ ସ୍ଥିତି ପରଖିବେ ।





