odisha24 Live

Latest News

Latest News

ବାରଣାସୀ-ଅଯୋଧ୍ୟା ତୀର୍ଥଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱର ନ୍ୟୁ ରେଳ ଷ୍ଟେସନ (ପଟିଆ) ଠାରେ ଆଜି ପୂର୍ବାହ୍ନ ୧୧:୦୦ ଘଟିକା ସମୟରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ୭୮୫ ଜଣ ଯୋଗ୍ୟ ତୀର୍ଥଯାତ୍ରୀଙ୍କୁ ଓଡିଶାରୁ ବାରଣାସୀ-ଅଯୋଧ୍ୟା ନେଇ ଯାଉଥିବା ଏକ ସ୍ୱତନ୍ତ୍ର ଟ୍ରେନ୍‌କୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟରେ ପୁରୀ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ନାଗରିକମାନଙ୍କର ବାରଣାସୀ-ଅଯୋଧ୍ୟା ଟ୍ରେନ୍‌ର ଶୁଭାରମ୍ଭ କରି ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ପ୍ରଭୁ ଲିଙ୍ଗରାଜଙ୍କ ପୀଠରୁ କାଶୀ ବିଶ୍ୱନାଥ ଓ ଅଯୋଧ୍ୟା ପୀଠକୁ ଏହି ଯାତ୍ରା ସଫଳ ହେଉ । ଏହି ଯାତ୍ରା ଦ୍ୱାରା ବରିଷ୍ଠ ନାଗରିକମାନେ ଗଙ୍ଗା ଆଳତି, କାଶୀ ବିଶ୍ୱନାଥ ଦର୍ଶନ ଓ ଶ୍ରୀରାମଲାଲାଙ୍କ ସାନିଦ୍ଧ ଲାଭ କରିପାରିବେ । ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ଜିଲ୍ଲାର ବରିଷ୍ଠ ନାଗରିକମାନେ ଦେଶର ବିଭିନ୍ନ ତୀର୍ଥସ୍ଥାନ ଯାତ୍ରା କରିବାର ସୌଭାଗ୍ୟ ହାସଲ କରିବା ସହ ସେହି ସ୍ଥାନର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଗୁରୁତ୍ୱ ସମ୍ପର୍କରେ ଜାଣିପାରିବେ ବୋଲି ସେ ଉଲ୍ଲେଖ କରିଛନ୍ତି ।
ଏହି ପ୍ରଥମ ପର୍ଯ୍ୟାୟ ବରିଷ୍ଠ ତୀର୍ଥଯାତ୍ରାରେ ଖୋର୍ଦ୍ଧା ଜିଲ୍ଲାର ୧୬୯ ଜଣ, ଜଗତସିଂହପୁର ଜିଲ୍ଲାର ୮୫, କଟକ ଜିଲ୍ଲାର ୧୯୭, ପୁରୀରୁ ୧୨୭, କେନ୍ଦ୍ରାପଡ଼ାରୁ ୧୦୮ ଓ ଢେଙ୍କାନାଳ ଜିଲ୍ଲାର ୮୯ ଜଣଙ୍କୁ ମିଶାଇ ମୋଟ ୭୭୫ ଜଣ ବରିଷ୍ଠ ନାଗରିକ ଓ ସେମାନଙ୍କର ଭଲମନ୍ଦ ବୁଝିବା ପାଇଁ ୨୫ ଜଣ ଅଧିକାରୀ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩୩୩ ଜଣ ମହିଳା ଓ ୪୩୨ ଜଣ ପୁରୁଷ ଅଛନ୍ତି ।
ଉକ୍ତ କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା ପ୍ରମୁଖ ତୀର୍ଥଯାତ୍ରୀମାନଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କର ସଫଳ ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ । ଏହି ଅବସରରେ ପର୍ଯ୍ୟଟକମାନଙ୍କୁ ପ୍ରତୀକାତ୍ମକ ଭାବେ ରେଲ୍ୱେ ଟିକେଟ୍‌ ଓ କିଟ୍‌ ବ୍ୟାଗ୍‌ ପ୍ରଦାନ କରାଯାଇଥିଲା ।
ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂହ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ, ଖୋର୍ଦ୍ଧା ରୋଡ୍‌ ଡିଭିଜନ୍‌ର ଅତିରିକ୍ତ ଡିଆର୍‌ଏମ୍‌ ଶ୍ରୀ ପ୍ରଦୀପ କୁମାର ବେହେରା, ଆଇଆର୍‌ସିଟିସିର ଆଞ୍ଚଳିକ ପରିଚାଳକ ଶ୍ରୀ ଅନୁଜ ଦତ୍ତ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

Share In Social Media
Scroll to Top