
ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ୧୦ ବର୍ଷର ଜେଲ୍ ଦଣ୍ଡ ପାଇଥିବା ସାମ୍ବାଦିକ ତରୁଣ ତେଜପାଲ ବମ୍ବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଅଗଷ୍ଟ ୬ ତାରିଖରେ ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ ନିମ୍ନ ଅଦାଲତଙ୍କ ନିଷ୍କୃତି ଆଦେଶକୁ ରଦ୍ଦ କରି ୬୨ ବର୍ଷୀୟ ତେଜପାଲଙ୍କୁ ଜଣେ ମହିଳା ସହକର୍ମୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷର ସଶ୍ରମକାରାଦଣ୍ଡାଦେଶ ଶୁଣାଇଥିଲେ।ଅନ୍ୟପଟେ ଗୋଆ ସରକାର ମଧ୍ୟ ସୁପ୍ରିମ୍ କୋର୍ଟରେ ଏକ ପିଟିସନ୍ ଦାଖଲ କରି ତେଜପାଲଙ୍କ ଦଣ୍ଡିତ ଅବଧିକୁ ୧୦ ବର୍ଷରୁ ବୃଦ୍ଧି କରି ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ଦାବି କରିଛନ୍ତି। ଅଭିଯୋଗର ଗାମ୍ଭୀର୍ଯ୍ୟ ଦୃଷ୍ଟିରୁ ୧୦ ବର୍ଷର ଜେଲଦଣ୍ଡ ଯଥେଷ୍ଟ ନୁହେଁ ବୋଲି ରାଜ୍ୟ ସରକାର ଦର୍ଶାଇଛନ୍ତି। ୨୦୧୩ ନଭେମ୍ବରରେ ଗୋଆର ଏକ ହୋଟେଲ୍ ଲିଫ୍ଟ ଭିତରେ ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ତେଜପାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୨୦୨୧ରେ ନିମ୍ନ ଅଦାଲତ ତାଙ୍କୁ ଦୋଷମୁକ୍ତ କରିଥିଲେ ହେଁ ହାଇକୋର୍ଟ ଏହାକୁ ଗ୍ରହଣ ନକରି ତାଙ୍କୁ ଦଣ୍ଡିତ କରିବା ସହ ନିମ୍ନ ଅଦାଲତଙ୍କ ରାୟକୁ କଠୋର ସମାଲୋଚନା କରିଥିଲେ।





