
ଭୁବନେଶ୍ବର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ । ଭୁବନେଶ୍ୱର ବିମାନବନ୍ଦରରୁ ବାହାରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଦୁଇ ରାଜ୍ୟରେ ବିଜେପି ଓ କେନ୍ଦ୍ରରେ ବି ବିଜେପି ସରକାର ରହିଛନ୍ତି । ତେଣୁ କୌଣସି ବିବାଦୀୟ ପରିସ୍ଥିତି ହେବ ନାହିଁ । ମହାନଦୀ ଜଳ ବିବାଦ ନୁହେଁ କି ସମସ୍ୟା ନୁହେଁ। ବହୁତ ଜଲଦି ଏହି ସମସ୍ୟାର ସମାଧାନ ହେବ। ବିଜେପି ସରକାର ଆସିବା ପରେ ଯେଉଁ ସବୁ ରାଜ୍ୟରେ ଜଳ ବିବାଦ ଥିଲା ତାର ସମାଧାନ ହେଉଛି । ଛତିଶଗଡ ଓଡିଶା ମଧ୍ୟରେ ଯେଉଁ ବିବାଦ ଥିଲା, ତାହା ଏଵେ ବିବାଦ ନାହିଁ । ଏହା ଖୁବଶୀଘ୍ର ସମାଧାନ ହେବ ।
ଏହା ପୂର୍ବରୁ ମହାନଦୀ ପ୍ରସଙ୍ଗରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀରେ ଭେଟଘାଟ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ଲିଙ୍ଗରାଜ ମନ୍ଦିର ଯାଇ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ବିଷ୍ଣୁ ଦେଓ ସାଏ । ଏହାପରେ ସିଧାସଳଖ ପୁରୀ ଯିବେ ଓ ସେଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ରାତ୍ର ରହଣି କରିବେ । ଆସନ୍ତାକାଲି ଭୁବନେଶ୍ୱର ଫେରି ବିମାନବନ୍ଦରରୁ ରାୟପୁର ବାହାରିଯିବେ ଛତିଶଗଡ଼ ସିଏମ୍ ବିଷ୍ଣୁ ଦେଓ ସାଏ ।





