odisha24 Live

Latest News

Latest News

ମାଡ଼ି ଆସୁଛି ଆଉ ଏକ ବାତ୍ୟା! ୧୫ରେ ଅବପାତ, ୧୬ ସନ୍ଧ୍ୟାରେ ବାତ୍ୟା ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଶନିବାର ସୁଦ୍ଧା ଆହୁରି ସ୍ପଷ୍ଟ ଚିହ୍ନିତ ହେବା ସମ୍ଭାବନା ରହିଛି। ସେହିପରି ୧୫ ତାରିଖ ସକାଳ ସୁଦ୍ଧା ଲଘୁଚାପ ଅବପାତରେ ପରିଣତ ହେବା ସହିତ ପରବର୍ତ୍ତୀ ସମୟରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଗତିକରି ୧୬ ତାରିଖ ସା ସୁଦ୍ଧା ବାତ୍ୟାର ରୂପ ନେଇପାରେ। ବିଭିନ୍ନ ପାଣିପାଗ ମଡେଲର ଆକଳନ ଅନୁଯାୟୀ, ନଭେମ୍ବର ୧୯ କିମ୍ବା ୨୦ ବେଳକୁ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ନିକଟରେ ପହଞ୍ଚତ୍ପାରେ। ଏହାର ଗତିପଥ ଓ ପ୍ରଭାବକୁ ନେଇ ମଧ୍ୟ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଭିନ୍ନ ଆକଳନ କରିଛନ୍ତି।

ୟୁରୋପୀୟ ମଡେଲ ଅନୁସାରେ, ଏହା ଆନ୍ଧ୍ରପ୍ରଦେଶ-ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇପାରେ। ସେହିପରି ଅନ୍ୟ ମଡେଲର ଆକଳନ ଅନୁଯାୟୀ, ଏହା ବାଂଲାଦେଶ କିମ୍ବା ମ୍ୟାନ୍‌ମାର ଆଡ଼କୁ ମୋଡ଼ ନେଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ବାତ୍ୟା ସୃଷ୍ଟି ହେବା ପରେ ଏହାର ନାମ ‘ଅକ୍ୱାନ’ ରହିବ।
ଏ ସମ୍ପର୍କରେ ସୂଚନା ଦେଇ ପାଣିପାଗ ବିଶେଷଜ୍ଞ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି, ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ବାତ୍ୟା ରୂପ ନେଇପାରେ। ୧୯ ତାରିଖ ରାତି କିମ୍ବା ୨୦ ତାରିଖ ସକାଳେ ଆନ୍ଧ୍ରର କାଭାଲିରୁ ମଛଲିପଟ୍ଟନମ୍‌ ମଧ୍ୟରେ ଏହା ଉପକୂଳ ଛୁଇଁପାରେ। ଫଳରେ ଓଡ଼ିଶାରେ ୧୭ ରୁ ୧୮ ତାରିଖ ବେଳକୁ ପାଗ ବଦଳିବ। ପ୍ରଥମେ ଗଞ୍ଜାମ, ଗଜପତି, ପୁରୀ ଆଦି ଜିଲାରେ ବର୍ଷା ହୋଇପାରେ। ୧୯ ରୁ ୨୧ ତାରିଖ ଭିତରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ଗଜପତିରେ ଅଧିକ ବର୍ଷା ସମ୍ଭାବନା ରହିଛି। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ବି ହୋଇପାରେ। ତେବେ ଅବପାତ ସୃଷ୍ଟି ହେବା ପରେ ହିଁ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ଡ. ସାହୁ କହିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ଏବଂ ଅବପାତ ପ୍ରଭାବରେ ୧୮ ତାରିଖରୁ ବର୍ଷା ଆରମ୍ଭ ହେବ। ବିଶେଷକରି କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଝଡ଼ବର୍ଷା ନେଇ ସତର୍କ ସୂଚନା ଦିଆଯାଇଛି। ସେହିପରି ୧୯ ତାରିଖରେ ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ ଜିଲାରେ ପ୍ରବଳ ଏବଂ ବାଲେଶ୍ୱର, ଭ୍ରଦକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଝଡ଼ବର୍ଷା ପାଇଁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। 

Share In Social Media
Scroll to Top