odisha24 Live

Latest News

Latest News

ଗଞ୍ଜାମ ବନ୍ୟାକୁ ନେଇ ବଢ଼ୁଛି ବିବାଦ…

ଭୁବନେଶ୍ବର: ଗଞ୍ଜାମରେ ବନ୍ୟା ପରିସ୍ଥିତିକୁ ନେଇ ଏବେ ରାଜନୈତିକ ତାତି ବଢ଼ିବାରେ ଲାଗିଛି। ଗୋଟିଏ ପଟେ ସରକାର ଏହାକୁ ଅତ୍ୟଧିକ ଓ ଅପ୍ରତ୍ୟାଶିତ ବର୍ଷାର ପରିଣାମ ବୋଲି କହୁଥିବା ବେଳେ, ଅନ୍ୟପଟେ ଡ୍ୟାମ୍‌ଗୁଡ଼ିକର ଜଳ ପରିଚାଳନାରେ ତ୍ରୁଟି ଯୋଗୁଁ ବନ୍ୟା ସ୍ଥିତି ଅଧିକ ଭୟାବହ ହୋଇଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ବିଜେଡି ଏବଂ କଂଗ୍ରେସ। ଏହାକୁ ନେଇ ଜଳସମ୍ପଦ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାହିଁକି ସିଧାସଳଖ ସ୍ପଷ୍ଟୀକରଣ ଦେଉନାହାନ୍ତି, ତାହା ଉପରେ ପ୍ରଶ୍ନ ଉଠାଇଛି ପିସିସି।

ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଭିଯୋଗ ପରେ ବୁଧବାର ମୁଖ୍ୟ ଶାସନ ସଚିବ ବନ୍ୟା ପରିସ୍ଥିତି ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଗଞ୍ଜାମରେ ହୋଇଥିବା ବନ୍ୟାର ମୁଖ୍ୟ କାରଣ ହେଉଛି ଅପ୍ରତ୍ୟାଶିତ ଓ ଅତ୍ୟଧିକ ବର୍ଷା। ଫାଇଲିନ ବାତ୍ୟା ସମୟରେ ହୋଇଥିବା ବର୍ଷା ତୁଳନାରେ ଏଥର ଅଧିକ ବର୍ଷା ରେକର୍ଡ କରାଯାଇଛି। ଡ୍ୟାମ୍ ଓ ନଦୀବନ୍ଧର ସୁରକ୍ଷା ପାଇଁ ନିର୍ଦ୍ଧାରିତ ନିୟମ, ଜଳଧାରଣ କ୍ଷମତା ଏବଂ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଡ୍ୟାମ୍ ଗେଟ୍ ଖୋଲାଯାଇଥିଲା। ତେଣୁ ଏହାକୁ ମନୁଷ୍ୟକୃତ ବନ୍ୟା କହିବା ଠିକ୍ ନୁହେଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

କିନ୍ତୁ ସରକାରଙ୍କ ଏହି ସ୍ପଷ୍ଟୀକରଣକୁ ନେଇ ସନ୍ତୁଷ୍ଟ ନୁହେଁ କଂଗ୍ରେସ। ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରଶ୍ନ କରିଛନ୍ତି, ଯଦି ଜଳ ପରିଚାଳନା ସଠିକ୍ ଥିଲା, ତେବେ ମୁଖ୍ୟମନ୍ତ୍ରୀ ନିଜେ ତଥ୍ୟ ଓ ପ୍ରମାଣ ସହ ସାମ୍ନାକୁ ଆସୁନାହାନ୍ତି କାହିଁକି? ଆଇଏମ୍‌ଡିର ବାରମ୍ବାର ପୂର୍ବାନୁମାନ ଓ ସତର୍କ ସୂଚନା ସତ୍ତ୍ୱେ ଡ୍ୟାମ୍‌ଗୁଡ଼ିକର ଜଳସ୍ତର କାହିଁକି ଆଗୁଆ ହ୍ରାସ କରାଯାଇନଥିଲା? ବନ୍ୟା ପୂର୍ବରୁ ଡ୍ୟାମ୍‌ର ଜଳସ୍ତର ୫୦ ପ୍ରତିଶତକୁ ଖସାଇବା ସମ୍ଭବ ଥିଲା କି ନାହିଁ, ତାହାର ଉତ୍ତର ମଧ୍ୟ ସରକାର ଦେବା ଉଚିତ ବୋଲି ସେ ଦାବି କରିଛନ୍ତି। ସେ ଆହୁରି କହିଛନ୍ତି, ଯେତେବେଳେ ବି ବିଜେପି ସରକାର ଅଡ଼ୁଆରେ ପଡ଼େ, ସେ କେନ୍ଦ୍ର ହେଉ କି ରାଜ୍ୟ, ସରକାରର ମୁଖ୍ୟମାନେ କିମ୍ବା ବିଭାଗର ରାଜନୈତିକ ମୁଖ୍ୟମାନେ ସାମ୍ନାକୁ ନ ଆସି ଅମଲାତନ୍ତ୍ରୀମାନଙ୍କ ପଛପଟେ ଲୁଚିବା ପସନ୍ଦ କରନ୍ତି। ଏଥର ମଧ୍ୟ ସେଇଆ ହିଁ କରୁଛନ୍ତି ଜଳସମ୍ପଦ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ବୋଲି ଅଭିଯୋଗ କରିଛନ୍ତି ଭକ୍ତ।

ଏଥିସହିତ ଜଳସମ୍ପଦ ବିଭାଗର ୱେବ୍‌ସାଇଟ୍‌ର ତଥ୍ୟକୁ ଆଧାର କରି ଭକ୍ତ ଦାସ ଆହୁରି ଅଭିଯୋଗ କରିଛନ୍ତି ଯେ, ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ଦୈନିକ ପ୍ରାୟ ୭ ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଥିବା ବେଳେ ୨୯ ଓ ୩୦ ତାରିଖରେ ଏହା ହଠାତ୍ ଦୈନିକ ୧ ଲକ୍ଷ ୪୦ ହଜାର କ୍ୟୁସେକ୍‌କୁ ବୃଦ୍ଧି ପାଇଥିଲା। ଏଭଳି ହଠାତ୍ ଜଳ ନିଷ୍କାସନ କେଉଁ ପ୍ରକାରର ଜଳ ପରିଚାଳନା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ଏହା ସହିତ ସରକାରୀ ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ନେଇ ମଧ୍ୟ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି। ପିସିସିର ତଥ୍ୟ ଅନୁଧ୍ୟାନକାରୀ ଦଳ ତିନି ଦିନ ଗଞ୍ଜାମର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିବା ବେଳେ ପିସିସି ସଭାପତି ମଧ୍ୟ ପ୍ରଭାବିତ ଲୋକଙ୍କୁ ଭେଟିଥିଲେ। ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ଅନୁସାରେ, କେତେକ ସ୍ଥାନରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ହେଉଥିବା ଦେଖାଯାଇଥିଲେ ମଧ୍ୟ ଅନେକ ଅଞ୍ଚଳରେ ପ୍ରଶାସନ ପହଞ୍ଚିନଥିବା ଦଳ ଅନୁଭବ କରିଛି। ସରକାରୀ ରିଲିଫ୍ ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟ ନୈରାଶ୍ୟଜନକ ବୋଲି କଂଗ୍ରେସ ଅଭିଯୋଗ କରିଛି।

Share In Social Media
Scroll to Top