odisha24 Live

Latest News

Latest News

ମହଙ୍ଗା ମାଡ଼କୁ ନେଇ ଜଳୁଛି ସ୍ପେନ୍ : ରାଜରାସ୍ତାରେ ଲକ୍ଷ ଲକ୍ଷ କର୍ମଚାରୀ

ସ୍ପେନ୍ : ଜାତୀୟ ନିର୍ବାଚନର ମାତ୍ର ୩ ସପ୍ତାହ ପୃର୍ବରୁ ଦେଶରେ ବଢ଼ିଚାଲିଥିବା ଗୃହ ସଙ୍କଟ ଏବଂ ଅତ୍ୟଧିକ ଘରଭଡ଼ା ବିରୋଧରେ ବୁଧବାର ସ୍ପେନର ଲକ୍ଷ ଲକ୍ଷ ଶ୍ରମିକ ଧର୍ମଘଟକୁ ଓହ୍ଲାଇଛନ୍ତି। ୧୪ ବର୍ଷ ମଧ୍ୟରେ ଦେଶର ଏହି ପ୍ରଥମ ସାଧାରଣ ଧର୍ମଘଟ ଯୋଗୁ ପରିବହନ ବ୍ୟବସ୍ଥା, ବନ୍ଦର, କାରଖାନା ଏବଂ ଦୋକାନବଜାର ବନ୍ଦ ରହିବା ସହ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଗତ ମାସରେ ମାଡ୍ରିଡରେ ଜଣେ ୮୭ ବର୍ଷୀୟା ମହିଳାଙ୍କୁ ଘରୁ ଉଚ୍ଛେଦ କରାଯିବା ଓ ପରେ ତାଙ୍କର ମୃତ୍ୟୁ ଘଟିବା ଘଟଣାକୁ ନେଇ ଜନଆକ୍ରୋଶ ତୀବ୍ର ହୋଇଥିଲା। ଏହାକୁ ଆଧାର କରି ଦେଶର ୨ ପ୍ରମୁଖ ଶ୍ରମିକ ସଂଗଠନ ‘ୟୁଜିଟି’ ଏବଂ ‘ସିସିଓଓ’ ପକ୍ଷରୁ ‘ଦରମା, ଗୃହ ଓ ଦରଦାମ’ ସ୍ଲୋଗାନ ସହ ଏହି ବନ୍ଦ ଡାକରା ଦିଆଯାଇଛି। ଧର୍ମଘଟ ସମୟରେ ବାର୍ସିଲୋନାରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିବା ବେଳେ ମାଡ୍ରିଡରେ ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏଥିଯୋଗୁ ରଣନୈତିକ କ୍ଷେତ୍ରଗୁଡ଼ିକରେ କାର୍ଯ୍ୟ ବନ୍ଦ ରହିଛି। ଅଟୋମୋଟିଭ ଏବଂ ବନ୍ଦର କ୍ଷେତ୍ରରେ ୯୦%, ମାଂସ ଶିଳ୍ପରେ ୮୫%, ଆବର୍ଜନା ସଂଗ୍ରହରେ ୮୨% ଏବଂ ଶକ୍ତି କ୍ଷେତ୍ରରେ ୭୫% ବନ୍ଦ ରହିଛି। ଶ୍ରମିକ, ସାମାଜିକ କର୍ମୀ,

ରାଜନେତା ଏବଂ ସାଧାରଣ ସ୍ପେନୀୟ ନାଗରିକମାନଙ୍କ ମଧ୍ୟରେ ବୁଧବାରର ଏହି ଧର୍ମଘଟକୁ ନେଇ ଭିନ୍ନ ଭିନ୍ନ ସ୍ୱାର୍ଥ ରହିଛି।
ଏହି ଧର୍ମଘଟ ସ୍ପେନର ରାଜନୀତିକୁ ବେଶ୍‌ ସରଗରମ କରିଦେଇଛି। ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ବାମପନ୍ଥୀ ସରକାର ଭଡ଼ାଟିଆଙ୍କ ସୁରକ୍ଷା ପାଇଁ ଆଣିଥିବା ଜରୁରିକାଳୀନ ନିୟମକୁ ସଂସଦରେ ଦକ୍ଷିଣପନ୍ଥୀ ଦଳ ବିରୋଧ କରିବା ପରେ ଏହି ଅଚଳାବସ୍ଥା ସୃଷ୍ଟି ହୋଇଛି। ଗୃହ ଅଧିକାର କର୍ମୀମାନେ ପର୍ଯ୍ୟଟକ ଆପାର୍ଟମେଣ୍ଟଗୁଡ଼ିକର ଉଚ୍ଛେଦ, ରିଅଲ ଇଷ୍ଟେଟ ସଟ୍ଟାବାଜି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଭଡ଼ା ଚୁକ୍ତିନାମାର ସ୍ୱୟଂଚାଳିତ ନବୀକରଣ ମାଧ୍ୟମରେ ଭଡ଼ାଟିଆମାନଙ୍କୁ ସୁରକ୍ଷା ଦେବା ଭଳି ଅନେକ ପଦକ୍ଷେପ ଦାବି କରୁଛନ୍ତି। ୟୁଜିଟି ଏବଂ ସିସିଓଓ ସଂଗଠନଗୁଡ଼ିକ ଗୃହ ବଜାରରେ ସରକାରଙ୍କ ଅଧିକ ହସ୍ତକ୍ଷେପ ଏବଂ ବ୍ୟବସାୟୀ ମାଲିକ ସଂଘ ସହ ଆଲୋଚନା ମାଧ୍ୟମରେ ଏକ ନୂତନ ସର୍ବନିମ୍ନ ମଜୁରି ଚୁକ୍ତି ଦାବି କରୁଛନ୍ତି।
ଦଳଗୁଡ଼ିକ ଆଶା ରଖିଛନ୍ତି ଯେ, ଏହି ଧର୍ମଘଟ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହେଲେ ନିର୍ୱାଚନୀ ପ୍ରଚାର ପୁଣି ଥରେ ଗୃହ ସମସ୍ୟା ଆଡ଼କୁ ମୁହାଁଇବ। କିନ୍ତୁ ରକ୍ଷଣଶୀଳ ‘ପପୁଲାର ପାର୍ଟି’ ଏବଂ ଅତି-ଦକ୍ଷିଣପନ୍ଥୀ ‘ଭକ୍ସ’ ଦଳ ଏହାକୁ ଏକ ‘ନିର୍ବାଚନ ଧର୍ମଘଟ’ ବୋଲି କହି ସମାଲୋଚନା କରିଛନ୍ତି। ରାଜନୈତିକ ବିଶ୍ଳେଷକଙ୍କ ମତରେ ଯଦି ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନିଏ, ତେବେ ଆଗାମୀ ନିର୍ବାଚନରେ ଦକ୍ଷିଣପନ୍ଥୀ ଦଳଗୁଡ଼ିକ ଏଥିରୁ ରାଜନୈତିକ ଫାଇଦା ଉଠାଇପାରନ୍ତି।

Share In Social Media
Scroll to Top