
କୋରାପୁଟ : ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳରେ ନିର୍ବାଚନକୁ ନେଇ ବର୍ତ୍ତମାନ ରାଜନୈତିକ ଲଢ଼େଇ ଏବଂ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। କୋଟିଆରେ ଆସନ୍ତା ୫ ତାରିଖରେ ପଞ୍ଚାୟତ ନିର୍ବାଚନ ଥିବାକୁ ଆନ୍ଧ୍ର ପ୍ରଶାସନର ପ୍ରସ୍ତୁତିକୁ ନେଇ ଉତ୍ତେଜନା ବଢ଼ିଛି। ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଲୋଭନୀୟ ଅଫର୍ ଦିଆଯାଉଥିବା ଅଭିଯୋଗ ମଧ୍ୟ ଉଠିଛି। ଏପଟେ ଆନ୍ଧ୍ରର ଏହି ପଦକ୍ଷେପକୁ ରୋକିବା ପାଇଁ ଓଡ଼ିଶା ପ୍ରଶାସନ ମଧ୍ୟ ସଜାଗ ହୋଇଛି।
କୋଟିଆରେ ଆଇନଶୃଙ୍ଖଳା ପରିସ୍ଥିତି ଯେପରି ବିଗିଡ଼ି ନଯାଏ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଏବେ କୋଟିଆରେ ୭ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ। ନିର୍ବାଚନ ଦିନ ଆବଶ୍ୟକତା ଅନୁସାରେ ଏହି ସଂଖ୍ୟା ଆହୁରି ବଢ଼ାଯିବ।କୋଟିଆକୁ ପ୍ରବେଶ କରିବା ପାଇଁ ଥିବା ତିନୋଟି ଚେକ୍ଗେଟ୍ରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ୯ ଜଣ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କୁ ପର୍ୟ୍ୟାୟକ୍ରମେ ଦାୟିତ୍ୱ ଦିଆଯାଇଛି। ଏଥିସହ ବେଆଇନ କାର୍ୟ୍ୟକଳାପ ରୋକିବା ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଲାଗୁ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜାଲ୍ ମତଦାନ ରୋକିବାକୁ ଭିଡିଓ ମନିଟରିଂ ସହ ପ୍ରଶାସନର କଡ଼ା ନଜର ରହିବ।ଅନ୍ୟପଟେ, କୋଟିଆରେ ପୁଣି ଓଡ଼ିଶା ଓ ଆନ୍ଧ୍ର ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଆନ୍ଧ୍ର ପୋଲିସ କୋଟିଆ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ନେରେଡିବାଲସା ଚେକ୍ପୋଷ୍ଟରେ ଓଡ଼ିଶା ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଘଟଣାସ୍ଥଳରେ କୋରାପୁଟ ଉପଜିଲ୍ଲାପାଳ, ପଟାଙ୍ଗୀ ତହସିଲଦାର ଓ ପୁଲିସ ଅଧିକାରୀମାନେ ପହଞ୍ଚିଥିଲେ। ଶେଷରେ ଆନ୍ଧ୍ର ପୋଲିସକୁ ଫେରିବାକୁ ପଡ଼ିଥିଲା।





