
ନୂଆଦିଲ୍ଲୀ : ସେନା କାରକେଡ୍ ଉପରେ ଭୟଙ୍କର ଆକ୍ରମଣ । ଏପରି ଅଭାବନୀୟ ଘଟଣା ଘଟିଛି ନାଇଜେରିଆରେ । ଏଠାକାର ବର୍ନୋ ରାଜ୍ୟରେ ସେନାର କାରକେଡ୍ ଯାଉଥିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ଯେଉଁଥିରେ ୧୫ ଜଣ ପ୍ରାଣ ହରାଇଛନ୍ତି ।
ମୃତକଙ୍କ ମଧ୍ୟରେ ନାଇଜେରିଆ ସେନାର ୧୦ ଜଣ ଯବାନ ରହିଥିବା ବେଳେ ୫ ଜଣ ହେଉଛନ୍ତି ସିଭିଲିଆନ୍ ଜଏଣ୍ଟ୍ ଟାସ୍କ ଫୋର୍ସର ଯବାନ । କୁହାଯାଉଛି ଯେ, ବର୍ନୋର ଗାମ୍ବରୁରେ ବାଟାଲିୟନର କିଛି ଯବାନ ପାଟ୍ରୋଲିଂ କରୁଥିଲେ । ସେମାନେ ନାଗଲା ଏବଂ କ୍ୟାମେରୁନ୍ ମଧ୍ୟରେ ପାଟ୍ରୋଲିଂ କରୁଥିବା ବେଳେ ସେମାନଙ୍କ ଗାଡି ଲ୍ୟାଣ୍ଡ ମାଇନ୍ ସଂସ୍ପର୍ଶରେ ଆସିଥିଲା । ଯେଉଁଥିପାଇଁ ଏତେ ବଡ ଅଘଟଣ ଘଟିଥିଲା ।
ଲ୍ୟାଣ୍ଡ୍ ମାଇନ୍ ବିଛାଇବା ପଛରେ ବୋକୋ ହାରାମର ହାତ ଥିବା କୁହାଯାଉଛି । ଏଠାରେ ଆଇଏସ ଆତଙ୍କବାଦୀ ମଧ୍ୟ ସକ୍ରିୟ ରହିଛନ୍ତି । ବର୍ନୋ ଅଞ୍ଚଳ ଦୀର୍ଘଦିନ ଧରି ସେନା ଏବଂ ବୋକୋ ହାରାମ ମଧ୍ୟରେ ଯୁଦ୍ଧକ୍ଷେତ୍ର ପାଲଟିଛି । ପୂର୍ବରୁ ମଧ୍ୟ ଏଠାରେ ଅଧିକାଂଶ ସମୟରେ ଆଇଏସ ଏବଂ ବୋକୋ ହାରାମ ସଙ୍ଗଠନ ସେନା ଉପରେ ଆକ୍ରମଣ କରିବାର ନଜିର ରହିଛି ।





