
ଭୁବନେଶ୍ୱର : ମାଆଙ୍କ ଆଗମନରେ ଚଳଚଞ୍ଚଳ ହୋଇ ପଡିଛି ଧରଣୀ । ଗାଁଠୁ ସହର ସବୁଠି ଶାରଦୀୟ ପୂଜାକୁ ନେଇ ଭକ୍ତିମୟ ପରିବେଶ ଦେଖିବା ପାଇଁ ମିଳୁଛି । ଆଜି ଜଗଦ୍ଜନନୀ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା । ପୀଠରେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା । ସପ୍ତମୀ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି । କଟକରେ ଝଲସୁଛି ସୁନା, ଚାନ୍ଦି ମେଢ । ମା’ଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବା ପାଇଁ ମିଳୁଛି ।
ଗତକାଲି ମଣ୍ଡପରେ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ଗତକାଲି ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବେଲ ବରଣ ସହିତ ମା’ ଙ୍କୁ ଆବାହନ କରାଯାଇଥିଲା । ମା’ ଦୁର୍ଗା ବେଲ ବୃକ୍ଷରେ ବାସ କରନ୍ତି । ସେଥିପାଇଁ ଦଶହରା ପୂଜା ପୂର୍ବରୁ ବେଲ ବୃକ୍ଷ ନିକଟରେ ସ୍ୱତନ୍ତ୍ର ରୀତିନୀତିରେ ପ୍ରଥମେ ପୂଜା କରାଯାଇଥାଏ । ପୂଜା ପରେ ବେଲ ବୃକ୍ଷରୁ ଡାଳ ଆଣି ମା’ଙ୍କୁ ମଣ୍ଡପକୁ ଆବାହନ କରାଯାଇଥାଏ ।
ସୂଚନାଥାଉକି, କଟକରେ ଗତ ବର୍ଷର କିଛି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥର ପ୍ରଶାସନ ଓ ପୋଲିସ ବିଭାଗ ଅନେକ ଆଗୁଆ ପଦକ୍ଷେପ ଗ୍ରହଣ କରିଛି । ସହରରେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୃତୟନ କରାଯିବ । ୩୦୦ ରୁ ଅଧିକ ଅଫିସର ଦାୟିତ୍ୱରେ ରହିବେ । ଟ୍ରାଫିକରେ ଯେପରି ଭିଡ଼ ନଜମିବ ତାହାକୁ ଦୃଷ୍ଟିରେ ରଖି ଅପରାହ୍ନରୁ କିଛି କିଛି ସ୍ଥାନରେ ଚାରି ଚକିଆ ଯାନ ଚାଲିବା ଉପରେ କଟକଣା ଲାଗୁ କରାଯିବ । ସହରର ଅନେକ ସ୍ଥାନରେ ସିସିଟିଭି ନଜର ରଖିଥିବା ବେଳେ କଣ୍ଟ୍ରୋଲ ରୁମରେ ତାହା ଉପରେ ଏକ ସ୍ୱତନ୍ତ୍ର ଟିମ୍ ନଜର ରଖିବ ।





