odisha24 Live

Latest News

Latest News

ଝଲସୁଛି ବିଭିନ୍ନ ପୂଜା ମଣ୍ଡପ

ଭୁବନେଶ୍ୱର : ମା’ ଆସିଛନ୍ତି! ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଜଗତ୍‌ଜନନୀ ମା’ ଦୁର୍ଗା। ଅଧର୍ମ ଉପରେ ଧର୍ମର ବିଜୟ, ଅନ୍ୟାୟ ଉପରେ ନ୍ୟାୟର ବିଜୟର ପ୍ରତୀକ ମା’ଙ୍କ ଆଗମନକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ। ସହରଠାରୁ ଗାଁ, ଗଳିଠାରୁ ଛକ, ସବୁଠି ପାର୍ବଣର ମାହୋଲ ଦେଖିବାକୁ ମିଳୁଛି। ସୁନ୍ଦର ତୋରଣ, ଆକର୍ଷଣୀୟ ଆଲୋକସଜ୍ଜା ଓ ମା’ଙ୍କ ମନମୋହକ ପ୍ରତିମା ଭକ୍ତଙ୍କ ମନ ମୋହୁଛି।

ଶୁକ୍ରବାର ଷଷ୍ଠୀ ପୂଜାରୁ ଆରମ୍ଭ ହୋଇଥିଲା ଦୁର୍ଗାପୂଜାର ପାରମ୍ପରିକ ରୀତିନୀତି। ଏହି ଅବସରରେ ବେଲଗଛ ମୂଳେ ବେଲବରଣୀ ପୂଜା କରାଯାଇଥିଲା। ପରେ ପବିତ୍ର ଜଳକୁ ପୂଜା ମଣ୍ଡପକୁ ଅଣାଯାଇ ମା’ଙ୍କୁ ବିଧିବଦ୍ଧ ଭାବେ ଆମନ୍ତ୍ରଣ କରାଯାଇଥିଲା। ପରମ୍ପରା ଅନୁସାରେ, ବେଲଗଛରେ ମା’ ସରସ୍ୱତୀ, ମା’ କାଳୀ ଓ ମା’ ଲକ୍ଷ୍ମୀ ବିରାଜମାନ କରିଥିବା ବିଶ୍ୱାସ ରହିଛି। ମୃଣ୍ମୟୀ ପ୍ରତିମାଙ୍କ ଚକ୍ଷୁଦାନ ସହ ଅନ୍ୟାନ୍ୟ ରୀତିନୀତି ମଧ୍ୟ ସମ୍ପନ୍ନ ହୋଇଥିଲା।

ଆଜି ମହାସପ୍ତମୀରେ ମା’ଙ୍କ ମୃଣ୍ମୟୀ ପ୍ରତିମା ଓ ପବିତ୍ର ଘଟ ସ୍ଥାପନ ପରେ ଆରମ୍ଭ ହୋଇଛି ନିୟମିତ ପୂଜାର୍ଚ୍ଚନା। ମନ୍ତ୍ରପାଠ, ଘଣ୍ଟଘଣ୍ଟା ଓ ଶଙ୍ଖଧ୍ୱନିରେ ପୂଜା ମଣ୍ଡପଗୁଡ଼ିକ ଭକ୍ତିମୟ ହୋଇଉଠିଛି। ମା’ଙ୍କ ଦର୍ଶନ କରିବା ସହ ପରିବାରର ମଙ୍ଗଳ ଓ ସୁଖସମୃଦ୍ଧି କାମନା କରି ଶ୍ରଦ୍ଧାଳୁମାନେ ପୂଜା ମଣ୍ଡପରେ ପହଞ୍ଚୁଛନ୍ତି।

ସେପଟେ କଟକ ଓ ଭୁବନେଶ୍ୱରରେ ପାର୍ବଣର ରଙ୍ଗ ଆହୁରି ଗାଢ଼ ହୋଇଛି। ରାସ୍ତାଘାଟ, ବଜାର ଓ ସାର୍ବଜନୀନ ସ୍ଥାନଗୁଡ଼ିକରେ ଆକର୍ଷଣୀୟ ଆଲୋକସଜ୍ଜା ସହ ବିଶାଳ ସାଜସଜ୍ଜାପୂର୍ଣ୍ଣ ତୋରଣ ନିର୍ମାଣ କରାଯାଇଛି। ପୂଜା କମିଟିଗୁଡ଼ିକ ଶେଷ ପ୍ରସ୍ତୁତି ସମ୍ପନ୍ନ କରିଥିବାବେଳେ ଭକ୍ତଙ୍କ ଆଗମନରେ ମଣ୍ଡପଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି।

Share In Social Media
Scroll to Top