
ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ପ୍ରଥମ ଦିନରୁ ହିଁ ବିରୋଧୀଙ୍କ ହୋହଲ୍ଲା ହଟ୍ଟଗୋଳ । ଚାଲିପାରିଲାନି ଗୃହ । ଧୋଇ ହୋଇଗଲା ପ୍ରଶ୍ନକାଳ। ଗୃହକୁ ୧ଟା ୧୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢୀ। ବିଧାନସଭା ମୌସୁମୀ ଅଧିବେଶନରେ ଶୋକ ପ୍ରସ୍ତାବ ଆଗତ ପରେ ବିରୋଧୀ ଗୃହରେ ହୋହଲ୍ଲା, ହଙ୍ଗାମା କରିଥିଲେ । ବିରୋଧୀ ସଦସ୍ୟ ପ୍ଲାକାର୍ଡ ଧରି ଏମଏମଡିଆର ବିଲ ପ୍ରତ୍ୟାହାର ନେଇ ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ନାରାବାଜି କରିଥିଲେ ।
ପ୍ରଶ୍ନକାଳ ଆରମ୍ଭରୁ ହିଁ ଗୃହ ଚଳାଇ ଦେଇନଥିଲେ । ବିଜେଡି ବହି ତ୍ରୁଟି ପ୍ରସଙ୍ଗ ଉଠାଇ ଗଣଶିକ୍ଷାମନ୍ତ୍ରିଙ୍କ ଇସ୍ତଫା ଦାବି କରି ପ୍ରତିବାଦ କରିଥିଲା । ବାଚସ୍ପତି ସୁରମା ପାଢୀ ଅନୁରୋଧ କରିବା ସତ୍ତ୍ୱେ କଥାକୁ ଖାତିର ନକରି ଜିଦରେ ଅଟଳ ରହି ଗୃହକୁ ଅଚଳ କରିଦେଇଥିଲେ ବିରୋଧୀ। ଫଳରେ ପ୍ରଶ୍ନକାଳ ଚାଲି ପାରିନଥିଲା । । ଏନେଇ ବାଚସ୍ପତି ଗୃହକୁ ୧ଟା ୧୦ ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ।୧ଟା ୧୦ରେ ଗୃହ ପୁଣି ବସିବା ପରେ ମଧ୍ୟ ବିରୋଧୀଙ୍କ ବିକ୍ଷୋଭ ଜାରି ରହିଥିଲା। ମାତ୍ର ଏକ ମିନିଟ୍ ମଧ୍ୟରେ ପୁଣି ହଟ୍ଟଗୋଳ ଆରମ୍ଭ ହେବାରୁ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
ଅପରାହ୍ନ ୪ଟାରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବା ସହିତ କଂଗ୍ରେସ ଓ ବିଜେଡି ବିଧାୟକମାନେ ପୁଣି ଥରେ ବେଲ୍କୁ ଓହ୍ଲାଇ ସ୍ଲୋଗାନ ଦେଇ ବିକ୍ଷୋଭ କରିଥିଲେ। ମାତ୍ର ୧୧ ମିନିଟ ଚାଲିବ ପରେ ଲଗାତାର ହୋହଲ୍ଲା ଯୋଗୁଁ କୌଣସି କାର୍ଯ୍ୟସୂଚୀ ଆଗକୁ ବଢ଼ିପାରିନଥିଲା।





