odisha24 Live

Latest News

Latest News

ପଦୋନ୍ନତି ପାଇଥିବା ୧୪ ଆଇଏଏସ୍‌ଙ୍କୁ ରାଜ୍ୟ ସରକାରଙ୍କ ନୂଆ ନିଯୁକ୍ତି

ଭୁବନେଶ୍ବର: ନିକଟରେ OASରୁ IASକୁ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ୧୪ ଜଣ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ବିଭିନ୍ନ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ କରାଯାଇଛି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଦେବାଶିଷ ସିଂଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ୧୪ ଜଣ OAS ଅଧିକାରୀଙ୍କୁ ସରକାର ଗ୍ରେଡ ପଦୋନ୍ନତି ଦେଇଛନ୍ତି ।
ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ସୂର୍ଯ୍ୟ ନାରାୟଣ ଦାସ, ସୌଦାମିନୀ ସେଠୀ ଏବଂ ଶୁଭ୍ରା ମହାନ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି । ପୂର୍ବରୁ ସେମାନେ ପଞ୍ଚାୟତିରାଜ ଓ ପାନୀୟର ସ୍ୱତନ୍ତ୍ର ସଚିବ ଭାବେ କାମ କରୁଥିଲେ । ଜ୍ୟୋତିର୍ମୟୀ ପ୍ରଧାନ ଓ ବବିତା ମହାନ୍ତିଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଯୁଗ୍ମ ସଚିବ ଦାୟିତ୍ୱ ମିଳିଛି । ପୂର୍ବରୁ ଉଭୟ ଉକ୍ତ ବିଭାଗରେ ସ୍ୱତନ୍ତ୍ର ସଚିବ ଭାବେ କାମ କରୁଥିଲେ । ମଧୁମିତା ନାୟକ ଶ୍ରମ ଓ ESI ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ନେବେ । ଭୁବନେଶ୍ୱରସ୍ଥିତ ESI ନିର୍ଦ୍ଦେଶକ ଭାବେ ପୂର୍ବଭଳି ଅତିରିକ୍ତ ଦାୟିତ୍ୱ ଜାରି ରଖିବେ ।
ଯୋଜନା ଓ ସମନ୍ୱୟ ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି ଅନୁଜ କୁମାର ଦାସ ପଟ୍ଟନାୟକ । ପୂର୍ବରୁ ସେ ଏହି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ । ଶିଳ୍ପ ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି ଜ୍ୟୋତି ରଞ୍ଜନ ମିଶ୍ର । ପୂର୍ବରୁ ସେ ଏହି ବିଭାଗରେ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି ସଂଘମିତ୍ରା ଶତପଥୀ । ହିମାଂଶୁ ଶେଖର ବେହେରାଙ୍କୁ ଗୃହ ବିଭାଗର ଯୁଗ୍ମ ସଚିବ ଦାୟିତ୍ୱ ଦିଆଯାଇଛି । ଉଭୟ ନିଜ ନିଜ ବିଭାଗରେ ସ୍ୱତନ୍ତ୍ର ସଚିବ ଭାବେ କାମ କରୁଥିଲେ । ଅନ୍ୟପକ୍ଷରେ ସୁମିତା ସରକାର, ବାଳମକୁନ୍ଦ ଭୂୟାଁ ଏବଂ ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ସେମାନଙ୍କ ବର୍ତ୍ତମାନ ପଦବୀରେ ହିଁ ଜାରି ରହିବାକୁ ଅନୁମତି ମିଳିଛି । ସେହିପରି କେନ୍ଦୁଝରସ୍ଥିତ ଅତିରିକ୍ତ କମିଶନର ପଦବୀରେ ଥିବା ମଧୁମିତା ନାୟକ ପୂର୍ବ ଭଳି ଉକ୍ତ ପଦବୀରେ କାମ ଜାରି ରଖିବେ ।
ସେହିପରି ୧୪ ଜଣ ଓଡ଼ିଶା ପ୍ରଶାସନିକ ସେବା ବା OAS ଅଧିକାରୀଙ୍କୁ ପଦୋନ୍ନତି ମିଳିଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଘାସିରାମ ମୁର୍ମୁଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । O.R.S.P. ନିୟମାବଳୀ, ୨୦୧୭ ଅନୁସାରେ ନିର୍ଦ୍ଧାରିତ Pay Matrixର ସ୍ତର-୧୨ ଅନୁଯାୟୀ ପଦୋନ୍ନତି ପ୍ରଦାନ କରାଯାଇଛି । ପଦୋନ୍ନତିଗୁଡ଼ିକ ଆଡ୍ ହକ୍ ଭିତ୍ତିରେ ଦିଆଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ।

Share In Social Media
Scroll to Top