odisha24 Live

Latest News

Latest News

ଖୁବଶୀଘ୍ର ଲାଗୁ ହେବ ଶ୍ରୀମନ୍ଦିରରେ ଧାଡ଼ି ବ୍ୟବସ୍ଥା

ପୁରୀ : ଶ୍ରୀମନ୍ଦିରରେ ଆସୁଛି ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥା । ଭିଡ଼ ନିୟନ୍ତ୍ରଣ ସହ ଭକ୍ତଙ୍କୁ ଶୃଙ୍ଖଳିତ ଓ ସୁବିଧାଜନକ ଦର୍ଶନ ଦେବା ଲକ୍ଷ୍ୟରେ ଏହି ବ୍ୟବସ୍ଥା କରାଯାଉଛି। ସାତପାହାଚରୁ ଧାଡ଼ି ଦର୍ଶନ ଆରମ୍ଭ ହୋଇ ନାଟମଣ୍ଡପରେ ନିର୍ମିତ ସ୍ୱତନ୍ତ୍ର ରାମ୍ପ ମାଧ୍ୟମରେ ଭକ୍ତମାନେ ଆଗକୁ ବଢ଼ି ମହାପ୍ରଭୁଙ୍କ ଦର୍ଶନ କରିବେ। ଏନେଇ ବିଶେଷଜ୍ଞ ଟିମ୍‌ର ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ସୂଚନା ରହିଛି।
ଆଇଆଇଟି ଭୁବନେଶ୍ୱରର ବିଶେଷଜ୍ଞମାନେ ଧାଡ଼ି ଦର୍ଶନ ପାଇଁ ବିଭିନ୍ନ ମଡେଲ୍‌ ପ୍ରସ୍ତୁତ କରିଥିଲେ। ସେଥିରୁ ଏକ ଉପଯୁକ୍ତ ମଡେଲ୍‌ ଚୟନ କରାଯାଇ ଏହାର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଛି। ପ୍ରଥମ ପର୍ଯ୍ୟାୟରେ ସପ୍ତାହକ ମଧ୍ୟରେ ପାଇଲଟ୍‌ ପ୍ରକଳ୍ପ ଆରମ୍ଭ ହୋଇପାରେ। ପରେ ୩ରୁ ୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ବ୍ୟବସ୍ଥା ଲାଗୁ କରିବା ଯୋଜନା ରହିଛି। ଏହା କାର୍ଯ୍ୟକାରୀ ହେଲେ ଘଣ୍ଟାକରେ ପ୍ରାୟ ୮ରୁ ୧୦ ହଜାର ଭକ୍ତ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ। ନାଟମଣ୍ଡପ ଓ ଜଗମୋହନ ଅଞ୍ଚଳରେ ୫ରୁ ୬ଟି ସ୍ୱତନ୍ତ୍ର ଧାଡ଼ି କିମ୍ବା ରାମ୍ପ ରହିବା ଯୋଜନା ରହିଛି। ବରିଷ୍ଠ ନାଗରିକ, ମହିଳା, ଶିଶୁ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯିବ। ଭକ୍ତଙ୍କ ସୁବିଧା ପାଇଁ ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରିବା ନେଇ ମଧ୍ୟ ଯୋଜନା ରହିଛି। ପାଇଲଟ୍‌ ମଡେଲ୍‌କୁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ଅନୁଧ୍ୟାନ କରିବା ପରେ ଆବଶ୍ୟକ ଏସ୍‌ଓପି ଚୂଡ଼ାନ୍ତ କରାଯିବ।

Share In Social Media
Scroll to Top