odisha24 Live

Latest News

Latest News

ସରକାରୀ ଜମିରେ ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ବନ୍ଦ ହେବ

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଜମିରେ ଅବୈଧ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୋକିବା ପାଇଁ କ୍ଷେତ୍ରସ୍ତରରେ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ। ଏ ସଂକ୍ରାନ୍ତରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି ଜିଲ୍ଲାର କ୍ଷେତ୍ରସ୍ତରୀୟ ରାଜସ୍ୱ ଅଧିକାରୀମାନଙ୍କୁ ସଜାଗ ରହିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି lବିଶେଷକରି ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଅବୈଧ ଗଞ୍ଜେଇ ଚାଷରେ ଜଡ଼ିତ ବ୍ୟକ୍ତିମାନେ ପ୍ରତିବର୍ଷ ସମାନ ସରକାରୀ ରାଜସ୍ୱ ଜମିକୁ ପୁନର୍ବାର ଚାଷ ପାଇଁ ବ୍ୟବହାର କରିବାର ପ୍ରବଣତା ରହିଥିବାରୁ ଏଥିପ୍ରତି ସଜାଗ ରହିବାକୁ ରାଜସ୍ୱ ସଚିବ ଡ. ପାଢ଼ୀ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୬-୨୭ ଫସଲ ଋତୁ ଆରମ୍ଭ ହୋଇଥିବାରୁ ପୂର୍ବରୁ ଚାଷ ନଷ୍ଟ କରାଯାଇଥିବା ଜମିରେ ପୁନର୍ବାର ଗଞ୍ଜେଇ ଚାଷ ହେବାର ଆଶଙ୍କା ରହିଥିବାରୁ ଏହି ଅଞ୍ଚଳଗୁଡ଼ିକରେ ବିଶେଷ ନଜର ରଖିବାକୁ ସମସ୍ତ କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ତହସିଲଦାର, ଅତିରିକ୍ତ ତହସିଲଦାର,ରାଜସ୍ୱ ନିରୀକ୍ଷକ (RI) ଓ ରାଜସ୍ୱ ସୁପରଭାଇଜରମାନଙ୍କୁ ସମନ୍ଵିତ ପଦକ୍ଷେପ ନେବାକୁ କୁହାଯାଇଛି l ପୂର୍ବରୁ ଅବୈଧ ଗଞ୍ଜେଇ ଚାଷ ଚିହ୍ନଟ ଓ ନଷ୍ଟ କରାଯାଇଥିବା ସମସ୍ତ ସରକାରୀ ରାଜସ୍ୱ ଜମି ଉପରେ ନିରନ୍ତର ନଜର ତଥା ସତର୍କ ଦୃଷ୍ଟି ରଖିବା ସହ ଗାଆଁ ଏବଂ ପ୍ଲଟ୍ ଅନୁଯାୟୀ ସମ୍ପୃକ୍ତ ଜମିର ବିବରଣୀ ସହ GPS କୋ-ଅର୍ଡିନେଟ୍‌ ସଂଗ୍ରହ କରି ପୂର୍ବରୁ ପ୍ରସ୍ତୁତ ରହିବାକୁ କ୍ଷେତ୍ରସ୍ତରର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସରକାରୀ ରାଜସ୍ୱ ଜମିରେ ପୁନର୍ବାର ଅବୈଧ ଗଞ୍ଜେଇ ଚାଷ ଚିହ୍ନଟ ହେଲେ ତୁରନ୍ତ ସମ୍ପୃକ୍ତ ଥାନା, STF କିମ୍ବା ANTFକୁ ଅବଗତ କରିବା ପାଇଁ ନିର୍ଦ୍ଦେଶ ରହିଛି ।

Share In Social Media
Scroll to Top