
ନୂଆଦିଲ୍ଲୀ : ଆରମ୍ଭ ହେବ ବିଶ୍ୱକପ୍ ମହାସମର । ବେଲଜିୟମ ଓ ନେଦରଲାଣ୍ଡ୍ସରେ ଆରମ୍ଭ ହେଉଛି FIH ହକି ବିଶ୍ୱକପ୍ ୨୦୨୬। ଅଗଷ୍ଟ ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଶ୍ୱ ହକିର ସବୁଠାରୁ ବଡ଼ ମଞ୍ଚରେ ଭାରତୀୟ ପୁରୁଷ ଦଳ ଉପରେ ଏଥର ବିଶେଷ ନଜର । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ୨୦ ଜଣିଆ ଭାରତୀୟ ଦଳ ମଇଦାନକୁ ଓହ୍ଲାଇବ। ଭାରତ Pool-Dରେ ଇଂଲଣ୍ଡ, ପାକିସ୍ତାନ ଓ ୱେଲ୍ସ ସହ ରହିଛି। ଆଜି ୱେଲ୍ସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ। ଏହାପରେ ୧୭ ଅଗଷ୍ଟରେ ଇଂଲଣ୍ଡ ଏବଂ ୧୯ ଅଗଷ୍ଟରେ ପାକିସ୍ତାନ ସହ ମୁକାବିଲା ହେବ। ୩ଟି ଯାକ ମ୍ୟାଚ୍ ନେଦରଲାଣ୍ଡ୍ସରେ ଖେଳାଯିବ।ପୂର୍ବ ରେକର୍ଡ ଦେଖିଲେ ୱେଲ୍ସ ଓ ପାକିସ୍ତାନ ବିପକ୍ଷରେ ଭାରତ ଆଗରେ ଥିବାବେଳେ ଇଂଲଣ୍ଡ ମ୍ୟାଚ୍ ଗ୍ରୁପର ନିର୍ଣ୍ଣାୟକ ଲଢ଼େଇ ହୋଇପାରେ। ତେଣୁ ପ୍ରଥମ ମ୍ୟାଚରୁ ପୂରା ପଏଣ୍ଟ ସହ ଅଭିଯାନ ଆରମ୍ଭ କରିବା ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ଦଳରେ ଅଭିଜ୍ଞତା ଓ ଯୁବଶକ୍ତିର ଭଲ ସମନ୍ୱୟ ରହିଥିବାରୁ ଏଥର ଜିତିବାର ଆଶା ଅଧିକ ରହିଛି। ଅଧିନାୟକ ହରମନପ୍ରୀତ ସିଂହଙ୍କ ଡ୍ରାଗ ଫ୍ଲିକ ଓ ପ୍ୟାନେଲଟି କର୍ନର କନଭରସନ୍ ଭାରତର ସବୁଠାରୁ ବଡ଼ ଅସ୍ତ୍ର। ଅଭିଜ୍ଞ ମନପ୍ରୀତ ସିଂହଙ୍କ ଉପସ୍ଥିତି ମିଡଫିଲ୍ଡକୁ ଶକ୍ତି ଦେବ। ନିକଟରେ Pro Leagueର ୟୁରୋପୀୟ ପର୍ଯ୍ୟାୟରେ ଭାରତ ବିଶ୍ୱ ଚାମ୍ପିଅନ୍ ଜର୍ମାନୀ ଓ ଅଲିମ୍ପିକ୍ ଚାମ୍ପିଅନ୍ ନେଦରଲାଣ୍ଡ୍ସକୁ ହରାଇଥିବାରୁ ବଡ଼ ଦଳକୁ ମାତ୍ ଦେବାର କ୍ଷମତା ଦଳ ପାଖରେ ଅଛି ବୋଲି ପ୍ରମାଣିତ ହୋଇଛି।





