
ୱାସିଂଟନ: ଆମେରିକାରେ ବର୍ତ୍ତମାନ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତ ଜୁଲାଇ ମାସଟି ଆମେରିକା ଇତିହାସରେ ସବୁଠାରୁ ଉତ୍ତପ୍ତ ମାସ ଭାବେ ରେକର୍ଡ ସୃଷ୍ଟି କରିଛି। ଏହା ଆମେରିକାର ସବୁଠାରୁ ଗରମ ମାସ ଭାବେ ରେକର୍ଡର ଶୀର୍ଷରେ ରହିଛି। ଆମେରିକାର ଜାତୀୟ ସମୁଦ୍ର ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ଏନଓଏଏ) ଏହା ଘୋଷଣା କରିଛି। ଏହା ବ୍ୟତୀତ, ବର୍ତ୍ତମାନ ଆମେରିକାର କାଲିଫର୍ନିଆ ଏବଂ ନେଭାଡା ରାଜ୍ୟର ସୀମାର ଜଙ୍ଗଲ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହା ୧୫ ହଜାର ଏକର ଜଙ୍ଗଲ ଜମିରେ ବ୍ୟାପିଛି । ଏନେଇ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ଜୁଲାଇ ମାସରେ ୪୮ ଟି ଆମେରିକୀୟ ରାଜ୍ୟରେ ହାରାହାରି ତାପମାତ୍ରା ୭୬.୯ ଡିଗ୍ରି ଫାରେନହାଇଟ୍ ବା ୨୪.୯ ଡିଗ୍ରି ସେଲସିୟସ୍ ଥିଲା। ଏନଓଏଏ ପାଖରେ ୧୩୨ ବର୍ଷର ରେକର୍ଡ ରହିଛି। ରେକର୍ଡ ଅନୁସାରେ ଚଳିତ ବର୍ଷ ଜୁଲାଇ ରେକର୍ଡରେ ସବୁଠାରୁ ଗରମ ମାସ ଥିଲା। ଏହି ରେକର୍ଡ ଆଲାସ୍କା, ହାୱାଇ ଏବଂ ଅନ୍ୟାନ୍ୟ ଆମେରିକୀୟ ବିଦେଶୀ ଅଞ୍ଚଳଗୁଡ଼ିକୁ ବାଦ୍ ଦେଇଛି। ଜୁଲାଇ ମାସର ହାରାହାରି ତାପମାତ୍ରା ୨୦ ଶତାବ୍ଦୀର ହାରାହାରି ତାପମାତ୍ରାଠାରୁ ୩.୩ ଡିଗ୍ରି ଫାରେନହାଇଟ୍ ଅଧିକ ଥିଲା। ରେକର୍ଡ ଅନୁସାରେ ପୂର୍ବରୁ ସବୁଠାରୁ ଗରମ ମାସ ୧୯୩୬ ଜୁଲାଇ ଥିଲା। ସେତେବେଳେ ହାରାହାରି ତାପମାତ୍ରା ୭୬.୮ ଡିଗ୍ରି ଫାରେନହାଇଟ୍ ଥିଲା। ଆମେରିକା ସରକାର ଓ ପାଣିପାଗ ବିଭାଗ ପକ୍ଷରୁ ନାଗରିକମାନଙ୍କୁ ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ ଘର ଭିତରେ ରହିବାକୁ, ପ୍ରଚୁର ପାଣି ପିଇବାକୁ ଏବଂ କୁଲିଂ ସେଣ୍ଟରଗୁଡ଼ିକର ସାହାଯ୍ୟ ନେବାକୁ ପରାମର୍ଶ ଦିଆଯାଉଛି।

