
ଭୁବନେଶ୍ୱର: ରାଜ୍ୟର ଚାଷୀମାନଙ୍କ ପାଇଁ ଆସିଛି। ଖୁସି ଖବର ଆଧାର କାର୍ଡ ଭଳି ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ପରିଚୟ ପତ୍ର । ସମବାୟ ସଂସ୍ଥାରେ ଚାଷୀଙ୍କ ପାଇଁ ହେବ ‘ଏଗ୍ରିଷ୍ଟାକ୍ ଆଇଡି’ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏହି ପ୍ରକ୍ରିୟାକୁ ସଫଳ କରିବା ପାଇଁ କୃଷି, ରାଜସ୍ୱ ଓ ସମବାୟ ବିଭାଗର ଅଧିକାରୀମାନେ ମିଳିତ ଭାବେ କାର୍ଯ୍ୟ କରିବେ। ଏନେଇ ଆୟୋଜିତ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ କୃଷି, ସମବାୟ, ରାଜସ୍ୱ ଓ ଯୋଗାଣ ବିଭାଗର ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ପଞ୍ଜୀକରଣ ପ୍ରକ୍ରିୟାକୁ କିପରି ଆହୁରି ସରଳ କରାଯିବ, ସେନେଇ ଆଲୋଚନା କରିଛନ୍ତି। ପଞ୍ଜୀକରଣ ସରିବା ପରେ ଚାଷୀଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଯିବ। ଏଥିରେ ଚାଷୀଙ୍କ କୃଷି ସମ୍ବନ୍ଧୀୟ ଆବଶ୍ୟକ ତଥ୍ୟ ସଂରକ୍ଷିତ ରହିବ। ଫଳରେ ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରି ସରକାରୀ ଯୋଜନା, ସହାୟତା ଓ ଅନ୍ୟାନ୍ୟ ସୁବିଧା ପହଞ୍ଚାଇବା ଅଧିକ ସହଜ ହେବ। ସବୁଠାରୁ ବଡ଼ କଥା ହେଉଛି, ରାଜ୍ୟ ବାହାରେ କିମ୍ବା ବିଦେଶରେ ଥିବା ଚାଷୀଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ସେମାନେ ଭିଡିଓ କନଫରେନ୍ସିଂ ଜରିଆରେ ପଞ୍ଜୀକରଣ କରିବା ସହ ଆଖି ସ୍କାନ୍ ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ କରିପାରିବେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଚାଷୀ ପଞ୍ଜୀକରଣକୁ ନେଇ କୌଣସି ସମସ୍ୟା ହେବ ନାହିଁ। ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଚାଲିବ। ଆବଶ୍ୟକ ପଡ଼ିଲେ ଏହାର ଅବଧି ମଧ୍ୟ ବଢ଼ାଯିବ ବୋଲି ସେ କହିଛନ୍ତି।

