
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି । ରାଜ୍ଯର ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା, ଘଡ଼ଘଡ଼ି ଏବଂ ବଜ୍ରପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଛି । ବିଶେଷକରି ଉତ୍ତର ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଆଜି ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଯାଜପୁର, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ସେହିପରି ଭଦ୍ରକ, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ଗଜପତି, ରାୟଗଡ଼ା, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାରେ ମଧ୍ୟମ ବର୍ଷା ସହ ପ୍ରବଳ ବଜ୍ରପାତ ଓ ୩୦-୪୦ କିମି ବେଗରେ ଝଡ଼ି ପବନ ବହିବାର ସମ୍ଭାବନା ରହିଛି ।

