
ମୋଦିଙ୍କ ଏକ୍ସ ପୋଷ୍ଟ ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧୀ। ସୋସିଆଲ ମିଡିଆ ‘ଏକ୍ସ’ରେ ସେ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ନୀତି ଓ କାର୍ଯ୍ୟଶୈଳୀ ଯୁବପିଢ଼ିଙ୍କ ଭବିଷ୍ୟତକୁ ସବୁଠୁ ବଡ଼ କ୍ଷତି ପହଞ୍ଚାଇଛି ଏବଂ ଦେଶର ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିଦେଇଛି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରେ ସେ ପୁଣିଥରେ ନିଜର ତିନି ଦଫା ଦାବି ଉଠାଇଛନ୍ତି।
ରାହୁଲଙ୍କ ଦାବି ଅନୁସାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଦରୁ ହଟାଯାଉ, ଛାତ୍ରଛାତ୍ରୀଙ୍କ ନିକଟରେ ସରକାର କ୍ଷମା ପ୍ରାର୍ଥନା କରୁ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ କଠୋରତମ ପଦକ୍ଷେପ ନିଆଯାଉ।
ଅନ୍ୟପକ୍ଷରେ, ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ତ୍ୱରିତ ବିଚାର ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟରେ ଶୁଣାଣି କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ସେ କହିଛନ୍ତି, ଯୁବପିଢ଼ିଙ୍କ କଲ୍ୟାଣ ଓ ଭବିଷ୍ୟତ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ପ୍ରଶ୍ନପତ୍ର ଲିକ୍ ଭଳି ଘଟଣାରେ ସଂପୃକ୍ତ ଦୋଷୀମାନଙ୍କୁ ଶୀଘ୍ର ଓ କଠୋର ଦଣ୍ଡ ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ମାମଲାର ଶୀଘ୍ର ସମାଧାନ ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରାଯିବ ଏବଂ ଏନେଇ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ସରକାର ପ୍ରତିବଦ୍ଧ ଥିବାବେଳେ, ଯୁବପିଢ଼ିଙ୍କ ଭବିଷ୍ୟତ ସହ ଛଳନା କରୁଥିବା କାହାକୁ ମଧ୍ୟ କୌଣସି ପରିସ୍ଥିତିରେ ଛାଡ଼ ଦିଆଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି।

