odisha24 Live

Latest News

Latest News

ଏଣିକି ‘ଫେଲ୍’ ନୁହେଁ, ମାର୍କସିଟ୍‌ରେ ମିଳିବ ନୂଆ ପରିଚୟ

ବିହାର : ଖୁବଶୀଘ୍ର ବିହାରର ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ। ଛାତ୍ରଛାତ୍ରୀଙ୍କ ମନରୁ ପରୀକ୍ଷା ଭୟ ଓ ମାନସିକ ଚାପ ଦୂର କରିବା ପାଇଁ ଏହି ନୂତନ ନିୟମ ପ୍ରଣୟନ କରାଯାଉଛି । ଏଣିକି ବିହାରରେ ପରୀକ୍ଷାରେ ବିଫଳ ହେଉଥିବା ଛାତ୍ରଛାତ୍ରୀଙ୍କ ମାର୍କସିଟ୍‌ରେ ଆଉ ‘ଫେଲ୍’ ଶବ୍ଦ ଦେଖିବାକୁ ମିଳିବ ନାହିଁ। ଏହା ବଦଳରେ ପ୍ରମାଣପତ୍ରରେ ‘ଦକ୍ଷତା ପାଇଁ ଯୋଗ୍ୟ’ ଶବ୍ଦ ବ୍ୟବହାର କରାଯିବ। ପିଲାଙ୍କ ମନୋବଳ ନଭାଙ୍ଗିବା ଏବଂ ଶିକ୍ଷାକ୍ଷେତ୍ରରେ ସକାରାତ୍ମକ ପରିବେଶ ତିଆରି କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଉଛି। ବିହାରର ଶିକ୍ଷାମନ୍ତ୍ରୀ ମିଥିଲେଶ ତିୱାରୀ କହିଛନ୍ତି ଯେ ମାଟ୍ରିକ୍ ପରୀକ୍ଷାରେ ଆଶାନୁରୂପ ଫଳ ନକରିପାରିଥିବା ପିଲାଙ୍କ ପ୍ରମାଣପତ୍ରରେ ‘ଫେଲ୍’ ଭଳି ଶବ୍ଦ ବ୍ୟବହାର କରାଯିବ ନାହିଁ। ଏହା ବଦଳରେ ‘ଦକ୍ଷତା ପାଇଁ ଯୋଗ୍ୟ’ ଶବ୍ଦ ବ୍ୟବହାର କରାଯିବ। ଏଥିପାଇଁ ନିୟମରେ ଆବଶ୍ୟକ ସଂଶୋଧନ କରାଯିବ ଏବଂ ଖୁବଶୀଘ୍ର ବିହାର ବିଦ୍ୟାଳୟ ପରୀକ୍ଷା ସମିତିକୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯିବ। ଗୁରୁବାର ରାତିରେ ବିକାଶ ଭବନସ୍ଥିତ ମଦନ ମୋହନ ସଭାଗୃହରେ ହୋଇଥିବା ସମୀକ୍ଷା ବୈଠକରେ ଶିକ୍ଷାମନ୍ତ୍ରୀ ଏହି ଘୋଷଣା କରିଥିଲେ।
ସେ କହିଛନ୍ତି, କୌଣସି ପରୀକ୍ଷାରେ ଆଶାନୁରୂପ ନମ୍ବର ନଆସିବା ଦ୍ୱାରା ଜଣେ ପିଲାର ପ୍ରତିଭା ଶେଷ ହୋଇଯାଏ ନାହିଁ। ତେଣୁ ମାର୍କସିଟ୍‌ରେ ‘ଫେଲ୍’ ଭଳି ଶବ୍ଦ ଲେଖି ପିଲାଙ୍କ ମନୋବଳ ଭାଙ୍ଗିବାକୁ ସରକାର ଚାହୁଁନାହାନ୍ତି। ମାଟ୍ରିକ୍‌ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ମାସ ଧରି ସ୍ୱତନ୍ତ୍ର କ୍ଲାସ୍ ଚଳାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଏହା ଦ୍ୱାରା ପିଲାମାନେ ପୁଣିଥରେ ଭଲ ପ୍ରସ୍ତୁତି ନେବାର ସୁଯୋଗ ପାଇବେ। ସେମାନଙ୍କୁ ପରୀକ୍ଷାରେ ସଫଳ କରିବା ଏହି ବ୍ୟବସ୍ଥାର ମୁଖ୍ୟ ଲକ୍ଷ୍ୟ।

Share In Social Media
Scroll to Top