odisha24 Live

Latest News

Latest News

ଆଶ୍ୱିନ ମାସରେ ଅଗ୍ନିବର୍ଷାର ପ୍ରକୋପ

ଭୁବନେଶ୍ୱର : ସାଧାରଣତଃ ଆଶ୍ୱିନ ମାସ ଶରତ ଋତୁର ସମୟ ହୋଇଥିବାରୁ ଏହି ଦିନଗୁଡ଼ିକରେ ପାଗ ସୁଖଦ ରହିବା କଥା। କିନ୍ତୁ ଏବେ ସକାଳୁ ସକାଳୁ ଟାଇଁ ଟାଇଁ ଖରା। ରାତିରେ ଗରମ କୁ ଗୁଳୁଗୁଳି। ୭ ତାରିଖ ପର୍ଯ୍ୟନ୍ତ ଉଚ୍ଚ ତାପମାତ୍ରା ସହିତ ଅଧିକ ଆଦ୍ରତା ରହିବ। ଏହି ସମୟରେ ଓଡ଼ିଶାରୁ ମୌସୁମୀ ବାୟୁ ଧୀରେ ଧୀରେ ଫେରିବା ଆରମ୍ଭ କରେ। ମୌସୁମୀ ଅପସାରଣ ଯୋଗୁଁ ଆକାଶ ସମ୍ପୂର୍ଣ୍ଣ ମେଘମୁକ୍ତ ଓ ସଫା ହୋଇଯାଏ । ଫଳରେ ସୂର୍ଯ୍ୟଙ୍କ କିରଣ ସିଧାସଳଖ ଭୂପୃଷ୍ଠରେ ପଡ଼ି ଦିନର ତାପମାତ୍ରାକୁ ହଠାତ୍ ବଢ଼ାଇଦିଏ ।

ବର୍ଷା ଦିନ ସରିବା ପରେ ମାଟିରେ ପ୍ରଚୁର ପରିମାଣରେ ଓଦାଭାବ ବା ଜଳୀୟବାଷ୍ପ ରହିଥାଏ । ସୂର୍ଯ୍ୟ କିରଣର ପ୍ରଖରତା ଯୋଗୁଁ ଏହି ଜଳୀୟବାଷ୍ପ ବାଷ୍ପୀଭୂତ ହୋଇ ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି କରେ । ତାପମାତ୍ରା ଅଧିକ ଥିବା ସହ ଆଦ୍ରତା ମିଶିଯିବା ଦ୍ୱାରା ଅସହ୍ୟ ଗୁଳୁଗୁଳି ସୃଷ୍ଟି ହୁଏ। ଓଡ଼ିଶା ଉପକୂଳରେ ଆଶ୍ୱିନ ଓ କାର୍ତ୍ତିକ ମାସରେ ପ୍ରାୟତଃ ବାତ୍ୟା ସୃଷ୍ଟି ହୋଇଥାଏ । ବଙ୍ଗୋପସାଗରରେ ଲଘୁଚାପ କିମ୍ବା ଅବପାତ ସୃଷ୍ଟି ହେବା ପୂର୍ବରୁ ସ୍ଥଳଭାଗରୁ ପବନର ଗତି କମିଯାଏ ଏବଂ ଗୁଳୁଗୁଳି ସହ ପ୍ରଖର ତାତି ଅନୁଭୂତ ହୁଏ ।

Share In Social Media
Scroll to Top