odisha24 Live

Latest News

Latest News

ମାଡି ଆସୁଛି ଝଡ଼ ତୋଫାନ

ଭୁବନେଶ୍ୱର : ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ହେବା ସହ ୨୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହା ପରବର୍ତ୍ତୀ ସମୟରେ ଅବପାତ କିମ୍ବା ବାତ୍ୟାର ରୂପ ନେବ କି ନାହିଁ, ତାହା ଏବେ ବି ଅନିଶ୍ଚିତ । ବିଭିନ୍ନ ପାଣିପାଗ ମଡେଲ୍ ରେ ଏହାର ତୀବ୍ରତା ଓ ଗତିପଥକୁ ନେଇ ଭିନ୍ନ ଭିନ୍ନ ସଙ୍କେତ ମିଳୁଛି ।

ଆସନ୍ତା ୨୪ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ପରେ ୨୫ କିମ୍ବା ୨୬ ତାରିଖ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ଏହାର ତୀବ୍ରତା କେତେ ରହିବ ଏବଂ କେଉଁ ଦିଗକୁ ଗତି କରିବ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟତା ମିଳିନାହିଁ । ତଥାପି ଏନେଇ ବିଭିନ୍ନ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରିଛି ।

କିଛି ମଡେଲ୍‌ରେ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଏବଂ ସମ୍ଭାବ୍ୟ ଭାବେ ଦକ୍ଷିଣ ଓଡ଼ିଶା ଆଡ଼କୁ ଗତି କରିପାରେ ବୋଲି ଆକଳନ କରାଯାଇଛି। ଆଗାମୀ ଦିନରେ ପାଣିପାଗ ପରିସ୍ଥିତି ସ୍ପଷ୍ଟ ହେଲେ ଅଧିକ ତଥ୍ୟ ମିଳିପାରିବ। ସମୁଦ୍ର ପୃଷ୍ଠର ତାପମାତ୍ରା ଅଧିକ ରହିବା ଘୂର୍ଣ୍ଣିବଳୟ ଓ ଲଘୁଚାପର ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିପାରେ। ଏହି କାରଣରୁ ବାତ୍ୟା ସମ୍ଭାବନାକୁ ନେଇ ଚର୍ଚ୍ଚା ବଢ଼ିଛି। କିନ୍ତୁ ବିଭିନ୍ନ ମଡେଲ୍‌ର ଆକଳନ ଏକାପରି ନଥିବାରୁ ବର୍ତ୍ତମାନ ଏହାକୁ ନିଶ୍ଚିତ ବାତ୍ୟା ବୋଲି କହିହେବ ନାହିଁ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଅକ୍ଟୋବର ୨୦ରେ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୧ ତାରିଖରେ ମାଲକାନଗିରିର କେତେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ସେହିପରି ୨୨ ତାରିଖରେ ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ।

ବିଶେଷଜ୍ଞଙ୍କ ମତରେ, ଲଘୁଚାପ ସୃଷ୍ଟି ହେବା ସମୟରେ ଏହା ଓଡ଼ିଶାଠାରୁ ଦୂରରେ ରହିପାରେ। ତେଣୁ କୁମାର ପୂର୍ଣ୍ଣିମା ସମୟରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି। ତଥାପି ପରିସ୍ଥିତି ବଦଳିଲେ ପୂର୍ବାନୁମାନରେ ପରିବର୍ତ୍ତନ ହୋଇପାରେ।

ସମ୍ଭାବ୍ୟ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଚାଷୀମାନେ ଆଗୁଆ ପ୍ରସ୍ତୁତି ନେବା ଜରୁରୀ। ପାକଳ ଧାନ, ଡାଲି ଓ ଅନ୍ୟ ଫସଲ କଟା ହୋଇଥିଲେ ସେଗୁଡ଼ିକୁ ଶୀଘ୍ର ସୁରକ୍ଷିତ ଓ ଶୁଖିଲା ସ୍ଥାନକୁ ନେଇଯିବା ଉଚିତ।

Share In Social Media
Scroll to Top