
ପୁରୀ : ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ବା ସାତପୁରୀ ଅମାବାସ୍ୟା କୁହାଯାଏ । ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଏହି ଦିନଟିର ସ୍ୱତନ୍ତ୍ର ପୌରାଣିକ ଏବଂ ଆଧ୍ୟାତ୍ମିକ ମାହାତ୍ମ୍ୟ ରହିଛି। ଏହି ତିଥିକୁ “କୁଶଗ୍ରହଣୀ ଅମାବାସ୍ୟା” ମଧ୍ୟ କୁହାଯାଏ। ଏହି ପବିତ୍ର ଦିନରେ ଓଡ଼ିଆ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ବିଶେଷ ପ୍ରକାରର “ସପ୍ତପୁରୀ ପିଠା” (ସାତପୁରୀ ଭୋଗ) ଲାଗି ହୋଇଥାଏ।
ସପ୍ତପୁରୀର ଅର୍ଥ ସାତୋଟି ପୁରୀ ବା ପୁର। ଏହା ମାନବ ଶରୀରର ସପ୍ତ ଚକ୍ର (ମୂଳାଧାର, ସ୍ୱାଧିଷ୍ଠାନ, ମଣିପୂର, ଅନାହତ, ବିଶୁଦ୍ଧ, ଆଜ୍ଞା ଓ ସହସ୍ରାର) ଏବଂ ବ୍ରହ୍ମାଣ୍ଡର ସପ୍ତପୁରୀ (ଅଯୋଧ୍ୟା, ମଥୁରା, ମାୟା, କାଶୀ, କାଞ୍ଚି, ଅବନ୍ତିକା ଓ ଦ୍ୱାରକା) ର ପ୍ରତୀକ ଭାବେ ବିବେଚନା କରାଯାଏ।ମହାପ୍ରଭୁଙ୍କ ପାଖରେ ଏହି ଭୋଗ ଲଗାଇବା ଦ୍ୱାରା ସମଗ୍ର ସୃଷ୍ଟି ଓ ମାନବ କଲ୍ୟାଣ ସାଧିତ ହୁଏ ବୋଲି ବିଶ୍ୱାସ ରହିଛି।
ଏହି ଭୋଗକୁ ମା ଦକ୍ଷିଣ କାଳୀ ମହାପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ। ଆଜି ସକାଳେ ଶ୍ରୀଜୀଉଙ୍କ ଅବକାଶ ନୀତି ସରିବା ପରେ ଠାକୁରଙ୍କୁ ବେଶ କରାଯାଇ ଗମ୍ଭିରାରେ ପାଣି ପଡ଼ି ଟେରା ବନ୍ଧାଯିବା ପରେ ସକାଳ ଧୂପରେ ସାତପୁରୀ ଭୋଗ ରୋଷ ଘରୁ ଆସିବା ସହ ପୂଜାପଣ୍ଡା ଷୋଡଶ ଉପଚାରରେ ପୂଜା କରିଥାନ୍ତି।
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବିଶେଷ ପୂଜାନୀତି ସହ ଆଜି ବସ୍ତ୍ରହରଣ ପ୍ରସ୍ତାବ ସହ ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀନାରାୟଣ ସାଗର ବିଜେ କରିବେ। ତେବେ କୁମ୍ଭାରପଡା ନିକଟରେ ଅବସ୍ଥିତ ମା ଆଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ଚାରି ଗୋଟି ମାଟିର ତାଡ଼ ଶ୍ରୀମନ୍ଦିରରେ ପହଂଚିବା ପରେ ଚତୁପାର୍ଶ୍ଵ ବୁଲି ତାଡଗୁଡିକୁ ରୋଷଘର ବେହେରଣରେ। ଗତକାଲି ସଂଧ୍ୟା ଧୂପ ସରିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଏକ ପଟୁଆରରେ ଶ୍ରୀମନ୍ଦିର ବାହାରେ ଥିବା ଦକ୍ଷିଣକାଳୀଙ୍କ ମନ୍ଦିରକୁ ଯାଇଥିଲେ।





